ଓଡିଶା

odisha

ETV Bharat / bharat

ଅଯୋଧ୍ୟା ମହୋତ୍ସବ: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ଭାଗବତ - Pran Pratishtha ceremony

RSS chief Mohan Bhagwat get invitation: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ମୋହନ ଭାଗବତ । ଅଧିକ ପଢନ୍ତୁ

ଅଯୋଧ୍ୟା ମହୋତ୍ସବ: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ଭାଗବତ
ଅଯୋଧ୍ୟା ମହୋତ୍ସବ: ନିମନ୍ତ୍ରଣ ଗ୍ରହଣ କଲେ ସଂଘ ପ୍ରମୁଖ ଭାଗବତ

By ETV Bharat Odisha Team

Published : Jan 10, 2024, 10:14 PM IST

ନୂଆଦିଲ୍ଲୀ:22 ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଥିବା ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବା ପ୍ରକ୍ରିୟା ଜାରି ରଖିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରି ନିମନ୍ତ୍ରଣ କରିବା ଜାରି ରଖିଛନ୍ତି । ଏହିକ୍ରମରେ ଆଜି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା, ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଜି ମୋହନ ଭାଗବତଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି ।

ତେବେ କେବଳ ନିମନ୍ତ୍ରିତ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରୁଛନ୍ତି । ସାରା ଦେଶ ଓ ବିଶ୍ବର କୋଣ ଅନୁକୋଣରୁ ସାଧୁସନ୍ଥ, ରାଜନେତା ଓ ସେଲିବ୍ରିଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ ମଧ୍ୟ ଜାରି ରହିଛି । ଅତିଥିମାନଙ୍କୁ ଅଯୋଧ୍ୟାରେ ପୁରାଣରେ ବର୍ଣ୍ଣିତ ରାମରାଜ୍ୟର ଅନୁଭବ ଦେବା ପାଇଁ ସ୍ଥାନୀୟ ସରକାର ଓ ପ୍ରଶାସନ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

କିଛି ଅତିଥି ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ପାଇଁ ସରକାର ସମସ୍ତ ରହଣୀ ବ୍ୟବସ୍ଥା କରିବେ । ସେହିପରି ସହରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ମହର୍ଷୀ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲୋକାର୍ପିତ ହୋଇସାରିଛି । ଅଯୋଧ୍ୟା ଷ୍ଟେସନର ନାମ ମଧ୍ୟ ‘ଅଯୋଧ୍ୟା ଧାମ’ ଭାବେ ପୁନଃନାମିତ କରାଯାଇଛି । 20 ରୁ 22 ତାରିଖ ମଧ୍ୟରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ଯିବା ପାଇଁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

କାଶୀ (ବାରାଣାସୀ) ଏକ ବରିଷ୍ଠ ପଣ୍ଡିତ ମଣ୍ଡଳୀ ପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦନ କରିବେ । ଏଥିପାଇଁ ମନ୍ଦିରରେ ଶେଷ ସ୍ପର୍ଶ ଦିଆଯାଉଛି । ଗ୍ରାଉଣ୍ଡ ଫ୍ଲୋରର ସମସ୍ତ କାର୍ଯ୍ୟ ଆସନ୍ତା ଦୁଇ-ଚାରି ଦିନ ମଧ୍ୟରେ ଶେଷ ହେବ । ଗତକାଲି ଗର୍ଭଗୃହର ମୁଖ୍ୟଦ୍ବାରରେ ଏକ ସୁବର୍ଣ୍ଣ କବାଟ ଲଗାଯାଇଛି । ମନ୍ଦିରରେ ମୋଟ 14 ଟି ଦ୍ବାର ଥିବା ବେଳେ ସବୁ ଦ୍ବାରରେ ସ୍ବର୍ଣ୍ଣଖଞ୍ଚିତ କବାଟ ଲଗାଯିବାର ବ୍ୟବସ୍ଥା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଭବ୍ୟ ପ୍ରସ୍ତୁତିକୁ ତ୍ରୁଟିଶୂନ୍ୟ କରିବା ପାଇଁ ତଦାରଖ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details