ଚଣ୍ଡିଗଡ:ବ୍ରିଟିଶ ପୂର୍ବବର୍ତ୍ତୀ ଭାରତରେ ପ୍ରାଚୀନ ଶିକ୍ଷା ପ୍ରଣାଳୀ କର୍ମନିଯୁକ୍ତି କୈନ୍ଦ୍ରିକ ନୁହେଁ ବରଂ ଗୁଣାତ୍ମକ ଥିଲା । ବ୍ରିଟିଶରଙ୍କ ଆଗମନ ପରେ ଭାରତରେ ଶିକ୍ଷା ବ୍ୟବସ୍ଥା ଭୁଶୁଡିଛି । ଭାରତରେ ପ୍ରଚଳିତ ପୁରାତନ ଶିକ୍ଷା ବ୍ୟବସ୍ଥାକୁ ବ୍ରିଟିଶରମାନେ ନିଜ ଦେଶରେ ପ୍ରଚଳିତ କଲେ, ହେଲେ ତାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସେମାନେ ଭାରତୀୟ ସମାଜରେ ଲାଗୁ କଲେ । ଯାହାଫଳରେ ଭାରତରେ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ଘଟିଲା ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ।
ହରିୟାଣାରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ଅତିଥି ଭାବେ ସମ୍ବୋଧିତ କରିବା ଅବସରରେ ସେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି । ଭାଗବତ କହିଛନ୍ତି, ଇଂରେଜମାନେ ଭାରତକୁ ଆସିବା ପୂର୍ବରୁ ଭାରତରେ ତତ୍କାଳୀନ ମୋଟ ଲୋକସଂଖ୍ୟାର ପ୍ରାୟ 70 ପ୍ରତିଶତ ଲୋକ ଶିକ୍ଷିତ ଥିଲେ । ସେହି ସମୟରେ ଦେଶରେ ବେରୋଜଗାରି ମଧ୍ୟ ନଥିଲା । ଇଂରେଜମାନେ ଭାରତୀୟ ସମାଜରେ ସେମାନଙ୍କର ଶିକ୍ଷା ପ୍ରଣାଳୀକୁ ଲାଗୁ କଲେ । ଭାରତୀୟ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାକୁ ନିଜ ଦେଶରେ ପ୍ରଚଳିତ କରିଥିଲେ । ବ୍ରିଟିଶ ସମାଜରେ ସାକ୍ଷରତା ହାର 70 ପ୍ରତିଶତ ଥିବା ବେଳେ ଭାରତୀୟ ସାମାଜରେ ଶିକ୍ଷାର ଅଧୋପତନ ଆରମ୍ଭ ହୋଇଥିଲା । ଇଂରେଜମାନଙ୍କ ପାଇଁ ଆଜି ଉଭୟ ଦେଶ ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏତେ ବଡ ପାର୍ଥକ୍ୟ ଦେଖିବାକୁ ମିଳୁଛି ବୋଲି ଭାଗବତ କହିଥିଲେ ।