ଶ୍ରୀନଗର:ଜାମ୍ମୁ କାଶ୍ମୀର ପୋଲିସ ଏକ ଅନ୍ତର୍ଜାତୀୟ ନିଶା କାରବାର ରାକେଟକୁ ଠାବ କରିବା ସହ 3ଶହ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରିଛି । ଜବତ ସାମଗ୍ରୀ କୋକେନ ବୋଲି ପ୍ରାଥମିକ ରିପୋର୍ଟରେ ଜଣାପଡିଛି । ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ପଞ୍ଜାବର ବାସିନ୍ଦା ହୋଇଥିବା ମଧ୍ୟ ପୋଲିସ ପ୍ରାଥମିକ ଯାଞ୍ଚ ପରେ ସ୍ପଷ୍ଟ କରିଛି ।
ଅପରେସନର ନେତୃତ୍ବ ନେଇଥିବା ସ୍ଥାନୀୟ ଏସଏସପି ରାମବାନ୍ ମୋହିତା ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜାମ୍ମୁ- ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ଗାଡିରେ ଡ୍ରଗ୍ କାରବାର ହେଉଥିବା ନେଇ ଇନପୁଟ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ଅପରେସନ ପ୍ଲାନ କରିଥିଲା । ହରିୟାଣା ପଞ୍ଜୀକୃତ ନମ୍ବର ଥିବା ଏହି ସନ୍ଦିଗ୍ଧ ଗାଡିକୁ ରୋକାଯାଇଥିଲା । ଏଥିରେ ଥିବା ଦୁଇ ଯୁବକ ଗାଡି ଛାଡି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ କାବୁ କରିଥିଲା । ଗାଡିକୁ ମଧ୍ୟ ତନଖି କରାଯାଇଥିଲା ।
ସେଥିରୁ ପ୍ରାୟ 30 କେଜି ଓଜନର ନିଶାଦ୍ରବ୍ୟ ଜବତ କରାଯାଇଛି । ଜବତ ନିଶାଦ୍ରବ୍ୟ କୋକେନ ଓ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 3 ଶହ କୋଟିରୁ ଅଧିକ ହେବ । ଗାଡିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେରା କରୁଛି । ଦୁଇ ଗିରଫ ଅଭିଯୁକ୍ତ ହେଉଛନ୍ତି ପଞ୍ଜାବର ଜଳନ୍ଧରର ସରବଜିତ ସିଂ ଓ ଫଗଓ୍ବାରାର ହନି ବାସ୍ରା । ଉଭୟ ଏବେ କାଶ୍ମୀର ପୋଲିସର ହେପାଜତରେ ରହିଛନ୍ତି । ଏହି ନିଶାଦ୍ରବ୍ୟ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମାପାର ହୋଇ ଅଣାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଦୁହିଁଙ୍କୁ ଜେରା ଆଧାରରେ ଏହି ଅନ୍ତର୍ଜାତୀୟ ନିଶା ରାକେଟ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଉଛି ।