ଓଡିଶା

odisha

ETV Bharat / bharat

2000 ଟଙ୍କିଆ ବଦଳର ଆଜି ଶେଷ ଦିନ; ଡେଡଲାଇନ ସରିଲା ପରେ ବି ଏମିତି କରିହେବ ଏକ୍ସଚେଞ୍ଜ - ଆରବିଆଇ

ଆଜି 7 ଅକ୍ଟୋବର 2023 । 2ହଜାର ଟଙ୍କିଆ ନୋଟ ଅଦଳବଦଳର ଶେଷ ତାରିଖ । ବ୍ୟାଙ୍କକୁ ଯାଇ ଆଜି ହିଁ ନୋଟ ବଦଳ କରିନିଅନ୍ତୁ । ତେବେ 7 ଅକ୍ଟୋବର ପରେ ନୋଟ ଅଦଳବଦଳ କରିବାକୁ ଚାହୁଁଥିଲେ କ'ଣ କରିବେ ପଢନ୍ତୁ

2000 ଟଙ୍କା ନୋଟ ବଦଳର ଆଜି ଶେଷ ଦିନ
2000 ଟଙ୍କା ନୋଟ ବଦଳର ଆଜି ଶେଷ ଦିନ

By ETV Bharat Odisha Team

Published : Oct 7, 2023, 8:16 AM IST

Updated : Oct 7, 2023, 9:38 AM IST

ନୂଆଦିଲ୍ଲୀ:ଆଜି (ଶନିବାର) ଅର୍ଥାତ 7 ଅକ୍ଟୋବର 2023 । 2ହଜାର ଟଙ୍କିଆ ନୋଟ ଅଦଳବଦଳର ଶେଷ ତାରିଖ । ଯଦି 2ହଜାର ନୋଟ ଆପଣଙ୍କ ପାଖରେ ଅଛି ତେବେ ଆଜି ହିଁ ବ୍ୟାଙ୍କ ଯାଇ ବଦଳ( ଏକ୍ସଚେଞ୍ଜ) କିମ୍ବା ଜମା(ଡିପୋଜିଟ) କରିନିଅନ୍ତୁ । ପୂର୍ବରୁ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟମ୍ବର 30 ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ଆଉ 7 ଦିନ ବୃଦ୍ଧି କରିଥିଲe ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ସେପ୍ଟମ୍ବର 30 ତାରିଖ ଦିନ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଥିଲା ଆରବିଆଇ ।

ତେବେ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଇଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା 96 ପ୍ରତିଶତରୁ ଊର୍ଦ୍ଧ୍ୱ 2000 ଟଙ୍କିଆ ନୋଟ ବ୍ୟାଙ୍କକୁ ଆସିଛି । ଯାହାର ମୂଲ୍ୟ 3.43 ଲକ୍ଷ କୋଟି ଟଙ୍କା ଅଟେ । ଏଥିରୁ 87 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ବାକି ଟଙ୍କା ଅନ୍ୟ ନୋଟ ସହ ଅଦଳବଦଳ କରାଯାଇଛି । ଆରବିଆଇ ଗଭର୍ଣ୍ଣରଙ୍କ ସୂଚନା ଅନୁଯାୟୀ, ଏବେ ବି 12 ହଜାର କୋଟି ଟଙ୍କାର 2ହଜାର ଟଙ୍କିଆ ନୋଟ ବଜାରରେ ଉପଲବ୍ଧ ଅଛି । ଯାହା ବ୍ୟାଙ୍କକୁ ଆସିନାହିଁ ।

7 ଅକ୍ଟୋବର ପରେ 2ହଜାର ନୋଟ ଫେରାଇବାକୁ ଚାହୁଁଥିଲେ କ'ଣ କରିବେ: ଯଦି ଆପଣଙ୍କ ପାଖରେ 2ହଜାର ଟଙ୍କିଆ ନୋଟ ଅଛି ଓ ଆପଣ ଅବଧି ମଧ୍ୟରେ ତାକୁ ଫେରାଇ ପାରୁନାହାନ୍ତି ତେବେ ବି ଆପଣଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି ଏହି ନୋଟ ବଦଳ କିମ୍ବା ଡିପୋଜିଟ ପାଇଁ । ବ୍ୟାଙ୍କରେ ନୋଟ ଜମା କରିବା ଅବଧି ଶେଷ ହେବା ପରେ ମଧ୍ୟ ଆପଣ ନୋଟ ଅଦଳବଦଳ କରିପାରିବେ । 7 ଅକ୍ଟୋବର ପରେ ଆପଣ ସିଧାସଳଖ ଆରବିଆଇ କାର୍ଯ୍ୟାଳୟରେ ହିଁ ଏହି ନୋଟ ଫେରାଇ ପାରିବେ । ଏକାକାଳୀନ ଆପଣ 10ଟି 2ହଜାର ଟଙ୍କିଆ ନୋଟ ଅର୍ଥାତ 20 ହଜାର ଟଙ୍କାର ଅଦଳବଦଳ କିମ୍ବା ଡିପୋଜିଟ କରିପାରିବେ ।

ଆରବିଆଇର 19ଟି କାର୍ଯ୍ୟାଳୟରେ ଆପଣ ନୋଟ ବଦଳ କିମ୍ବା ଡିପୋଜିଟ କରିପାରିବେ । ସେହି 19ଟି ଆରବିଆଇ କାର୍ଯ୍ୟାଳୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡିଗଡ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ମୁମ୍ୱାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ଥିରୁଅନନ୍ତପୁରମରେ ଅବସ୍ଥିତ ।

କ'ଣ ରହିଛି ଆରବିଆଇ ନିର୍ଦ୍ଦେଶ:

  • ଆରବିଆଇର ସୂଚନା ଅନୁଯାୟୀ, 7 ଅକ୍ଟୋବର 2023 ପରେ 2ହଜାର ଟଙ୍କିଆ ନୋଟ ଡିପୋଜିଟ କିମ୍ୱା ଅଦଳବଦଳ ସମସ୍ତ ବ୍ୟାଙ୍କ ଶାଖାଗୁଡିକରେ ବନ୍ଦ ହୋଇଯିବ ।
  • ଏହି ନୋଟ କେବଳ ଆରବିଆଇର 19ଟି କାର୍ଯ୍ୟାଳୟରେ ହୋଇପାରିବ ।
  • ତେବେ ଏକାକାଳୀନ ମାତ୍ର 10ଟି 2ହଜାର ଟଙ୍କିଆ ନୋଟ ଅର୍ଥାତ୍ 20ହଜାର ଟଙ୍କା ମଧ୍ୟରେ ଅଦଳବଦଳ କିମ୍ବା ଡିପୋଜିଟ ହୋଇପାରିବ ।
  • ଦେଶ ମଧ୍ୟରେ ଇଣ୍ଡିଆ ପୋଷ୍ଟ ଜରିଆରେ ମଧ୍ୟ ଆରବିଆଇ କାର୍ଯ୍ୟାଳୟକୁ ନୋଟ ପଠାଇ ଏକ୍ସଚେଞ୍ଜ କିମ୍ବା ସେହି ଟଙ୍କା ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ କରିହେବ ।

ଏହାମଧ୍ୟ ପଢନ୍ତୁ..୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ, ଆଉ ଚଳିବନି ଏହି ନୋଟ

ନୋଟ ବଦଳିବା ପାଇଁ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି କି ?ନୋଟ ବଦଳ କିମ୍ବା ଡିପୋଜିଟ ପାଇଁ ଆପଣଙ୍କ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ନୋଟ ବଦଳିରେ ଅସୁବିଧାର ସମ୍ମୁଖୀନ ହେଲେ ଆପଣ ବ୍ୟାଙ୍କ କର୍ମଚାରୀଙ୍କ ସୁବିଧା ନେଇପାରିବେ । ଏପରିକି ଆପଣଙ୍କ ସେହି ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ମଧ୍ୟ ଆପଣ ବଦଳ କରିପାରିବେ ।

ସୂଚନାଯୋଗ୍ୟ, କ୍ଲିନ ନୋଟ ପଲିସି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ 2ହଜାର ଟଙ୍କିଆ ନୋଟ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ନୋଟ ଫେରସ୍ତର ଶେଷ ତାରିଖ ପ୍ରଥମେ ସେପ୍ଟମ୍ବର 30 ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ଆଣିଥିଲା ଆରବିଆଇ । ଏହାକୁ 7 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ମେ' 19 ତାରିଖରେ 2 ହଜାର ଟଙ୍କା ନୋଟ ସର୍କୁଲେସନ କରିବା ବନ୍ଦ କରିଥିଲା ଆରବିଆଇ ।

ମେ' 19ରେ 2 ହଜାର ଟଙ୍କା ବଦଳ କରିବା ଘୋଷଣା ହେବା ପରର 20 ଦିନ ମଧ୍ୟରେ 50 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇ ଥିଲା । ପାଖାପାଖି 6 ବର୍ଷ ପୂର୍ବରୁ ହୋଇଥିବା ବିମୁଦ୍ରୀକରଣ ପରେ ସରକାର 2000 ଟଙ୍କା ନୋଟର ପ୍ରଚଳନ ଆରମ୍ଭ କରିଥିଲେ । ଏହା ସହ ପୂର୍ବରୁ ପ୍ରଚଳିତ ହେଉଥିବା 1000 ଟଙ୍କା ନୋଟକୁ ବନ୍ଦ କରିବା ସହ ପୁରୁଣା 500 ଟଙ୍କିଆ ନୋଟ ବନ୍ଦ କରି ନୂଆ ନୋଟର ଆରମ୍ଭ କରିଥିଲେ । ସେହିପରି ଆରବିଆଇ, RBI Act 24(1) ଦ୍ବାରା 2016 ନଭେମ୍ବରରେ 2 ହଜାର ଟଙ୍କା ନୋଟ ଜାରି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 9:38 AM IST

ABOUT THE AUTHOR

...view details