ହାଇଦ୍ରାବାଦ:ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଇବା ନିଷ୍ପତ୍ତିରେ ପୁଣି ମୁହାଁମୁହିଁ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର । ଉପରାଜ୍ୟପାଳ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆମ ଆଦମୀ ପାର୍ଟି ଆଜି ଆନ୍ଦୋଳନ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ବାସଭବନ ଅଭିମୁଖେ ପଦଯାତ୍ରା କରିଛି ଦଳ । ଏହି ପଦଯାତ୍ରାର ନେତୃତ୍ବ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ ।
ହାତରେ ପ୍ଲାକକାର୍ଡ ଧରି ଆପ ନେତାମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବିରୋଧ କରିଥିଲେ । ଦିଲ୍ଲୀର ଶିକ୍ଷା ନୀତିରେ ଉପରାଜ୍ୟପାଳ ହସ୍ତକ୍ଷେପ ନକରନ୍ତୁ ଓ ସରକାରୀ ଶିକ୍ଷକଙ୍କୁ ଫିନଲ୍ୟାଣ୍ଡ ଯିବାକୁ ଦୁଅନ୍ତୁ ବୋଲି ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ଆପ ଟିମ୍ । ଦିଲ୍ଲୀ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ନେଇ ଆଜି ବିଧାନସଭାରେ ଜୋରଦାର ବିତର୍କ ହୋଇଥିଲା । ସରକାରଙ୍କ ଫିନଲ୍ୟାଣ୍ଡକୁ ଶିକ୍ଷକ ପଠାଇବା ନିଷ୍ପତ୍ତିକୁ ବିରୋଧୀ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବିରୋଧ କରିବା ସହ ଅତ୍ୟନ୍ତ ବେଆଇନ ଓ ଅନାବଶ୍ୟକ ନିଷ୍ପତ୍ତି ବୋଲି ଦର୍ଶାଇଥିଲେ ।