ବେଙ୍ଗାଲୁରୁ:ଚନ୍ଦ୍ରପୃଷ୍ଠରୁ ପୃଥିବୀବାସୀଙ୍କୁ ଆସିଲା ରୋଭର ପ୍ରଜ୍ଞାନର ବାର୍ତ୍ତା । ଖୁବଶୀଘ୍ର ଚନ୍ଦ୍ରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବ ପ୍ରଜ୍ଞାନ । ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ଗବେଷଣା କରୁଛି ରୋଭର ପ୍ରଜ୍ଞାନ । ଏହା ସହିତ ଚନ୍ଦ୍ରକୁ ନେଇ ବିଭିନ୍ନ ପ୍ରକାରର ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରମାଗତ ଭାବେ ପଠାଉଛି । ତେବେ ଆଜି (ମଙ୍ଗଳବାର) ପୁଣି ଏକ ବଡ଼ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ତେବେ ଏହି ରହସ୍ୟ କଣ ସେ ନେଇ କୁହାଯାଇ ନାହିଁ । ପ୍ରଜ୍ଞାନ ଖୁବଶୀଘ୍ର ପୃଥିବୀବାସୀଙ୍କୁ ଏ ନେଇ ଅବଗତ କରାଇବ ବୋଲି କହିଛି । ତେବେ ପ୍ରଜ୍ଞାନର ସିକ୍ରେଟ ସମ୍ବନ୍ଧରେ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରକୁ ନେଇ ଏକ ରହସ୍ୟ ଉନ୍ମୋଚନ କରିବ । ଖୁବଶୀଘ୍ର ବିଶ୍ବବାସୀଙ୍କ ସାମ୍ନାକୁ ଏହି ତଥ୍ୟ ଆସିବ । ତେବେ ଏଯାବତ ରୋଭର ପ୍ରଜ୍ଞାନ ଓ ବିକ୍ରମ ଲ୍ୟାଣ୍ଡରର ସ୍ଥିତି ସ୍ବାଭାବିକ ରହିଛି । ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ମଧ୍ୟରେ ଯୋଗାଯୋଗ ମଧ୍ୟ ରହିଛି ।
ଏହା ବି ପଢନ୍ତୁ- Chandrayaan-3: ଚନ୍ଦ୍ରପୃଷ୍ଠରେ ଗାତ ଦେଖି ବ୍ରେକ ମାରିଲା ପ୍ରଜ୍ଞାନ, ବଦଳାଇଲା ଦିଗ
ଗତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ୬ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡରରୁ ସଫଳତାର ସହ ପୃଥକ ହୋଇଥିଲା ରୋଭର ପ୍ରଜ୍ଞାନ । ଏହାପରେ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିଥିଲା ପ୍ରଜ୍ଞାନ । ଏ ନେଇ ଇସ୍ରୋ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା । ଆଜି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିବାର ସପ୍ତମ ଦିନ ହୋଇଥିବା ବେଳେ ପ୍ରଜ୍ଞାନ ଗବେଷଣା ଜାରି ରଖିଛି ।
ଚନ୍ଦ୍ର ଦକ୍ଷିଣ ମେରୁ ମୃତ୍ତିକାର ତାପମାତ୍ରା ସମ୍ପର୍କରେ ଗତ ୨୭ ତାରିଖରେ ରୋଭର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଥିଲା । ଚନ୍ଦ୍ର ଦକ୍ଷିଣ ମେରୁ ମାଟିର ତାପମାତ୍ରା -୧୦ ଡିଗ୍ରୀରୁ ୫୦ ଡିଗ୍ରୀ ମଧ୍ୟରେ ରହୁଥିବା ନେଇ ଇସ୍ରୋ ପକ୍ଷରୁ ଜାରି ହୋଇଥିବା ଏକ ଗ୍ରାଫରେ ଦେଖିବାକୁ ମିଳିଥିଲା । ଏହାପରେ ଅଗଷ୍ଟ ୨୭ ତାରିଖରେ ରୋଭର ଆଗରେ ଏକ ବଡ ଗର୍ତ୍ତ ଆସିଥିଲା । ରୋଭରଠାରୁ ପ୍ରାୟ ୩ମିଟର ଦୂରରେ ୪ମିଟର ଆକାରର ଗର୍ତ୍ତ ଆସିଥିବା ବେଳେ ରୋଭର ବ୍ରେକ ମାରି ନିଜର ଦିଗ ପରିବର୍ତ୍ତନ କରିଥିଲା । ଏ ନେଇ ଗତକାଲି (ଅଗଷ୍ଟ ୨୮) ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା ।
ସୂଚନା ଥାଉ କି ରୋଭର ପ୍ରଜ୍ଞାନ ଲ୍ୟାଣ୍ଡିଂଠାରୁ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବୁଲି ଗବେଷଣା କରିବ । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରୁ ୭ ଦିନ ଶେଷ ହୋଇଥିବା ବେଳେ ଆଉ ରହିଛି ୭ଦିନ । ଚନ୍ଦ୍ରରେ ବିଭିନ୍ନ ପ୍ରକାର ଗବେଷଣା କରିବା ଲାଗି ୬ ଚକିଆ ରୋଭରଠାରେ ଅନେକ ପ୍ରକାର ପେଲୋଡ ଖଞ୍ଜା ଯାଇଛି । ଯାହାକି ଚନ୍ଦ୍ରର ମୃତ୍ତିକା ତାପମାତ୍ରାଠୁ ଆରମ୍ଭ କରି ଏଠାରେ ଥିବା ବିଭିନ୍ନ ଉପାଦାନ, କଣିକା ତଥା ଏଠାରେ ଜୀବସତ୍ତା ସମ୍ଭବ କି ନାହିଁ ସେ ଦିଗରେ ଗବେଷଣା କରୁଛି ।