ଓଡିଶା

odisha

ETV Bharat / bharat

Chandrayaan-3: ଚନ୍ଦ୍ରପୃଷ୍ଠରେ ଗାତ ଦେଖି ବ୍ରେକ ମାରିଲା ପ୍ରଜ୍ଞାନ, ବଦଳାଇଲା ଦିଗ

ଚନ୍ଦ୍ରପୃଷ୍ଠରେ ୪ମିଟରର ଗର୍ତ୍ତ ଦେଖି ବ୍ରେକ୍‌ ମାରିଲା ରୋଭର ପ୍ରଜ୍ଞାନ । ଦିଗ ପରିବର୍ତ୍ତନ କରି ଅଲଗା ରାସ୍ତାରେ ଯାଇଥିବା ଇସ୍ରୋର ସୂଚନା । ଅଧିକ ପଢନ୍ତୁ

Rover Pragyan
Rover Pragyan

By ETV Bharat Odisha Team

Published : Aug 28, 2023, 5:25 PM IST

Updated : Aug 28, 2023, 5:37 PM IST

ବେଙ୍ଗାଲୁରୁ:ଚତୁର ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ଗାତ ଦେଖି ମାରିଲା ବ୍ରେକ୍‌ । ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି ପ୍ରଜ୍ଞାନ । ତେବେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତକାଲି (ଅଗଷ୍ଟ ୨୭) ପ୍ରଜ୍ଞାନ ରାସ୍ତାରେ ପଡ଼ିଥିଲା ୪ମିଟରର ଏକ ଗର୍ତ୍ତ । କମାଣ୍ଡ୍‌ ପାଇବା ପରେ ପ୍ରଜ୍ଞାନ ନିଜ ଦିଗ ପରିବର୍ତ୍ତନ କରି ଅନ୍ୟ ଏକ ରାସ୍ତାରେ ସଫଳତାର ସହ ଅଗ୍ରସର ହୋଇ ଗବେଷଣା ଜାରି ରଖିଛି ।

ଏହା ବି ପଢନ୍ତୁ- Aditya-L1 Mission: 2ସେପ୍ଟେମ୍ବର ପୂର୍ବାହ୍ନ 11.50ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

ଏ ନେଇ ଇସ୍ରୋ ଟ୍ବିଟ୍‌ କରି କହିଛି, "ରୋଭର ରାସ୍ତାରେ ଅଗଷ୍ଟ ୨୭ ତାରିଖରେ ପଡ଼ିଥିଲା ଏକ ୪ ମିଟରର ଗର୍ତ୍ତ । ପ୍ରଜ୍ଞାନଠାରୁ ଏହା ଗାତଟି ୩ମିଟର ଦୂରରେ ରହିଥିଲା । ହେଲେ ରୋଭରକୁ କମାଣ୍ଡ ମିଳିବା ପରେ ଏହା ନିଜ ଦିଗ ପରିବର୍ତ୍ତନ କରି ଅନ୍ୟ ଏକ ରାସ୍ତାରେ ଯାଇ ସଫଳତାର ସହ ଚଳପ୍ରଚଳ କରୁଛି ।" ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଆଗରେ ଖାଲ ଢିପ, ପଥର ଭଳି ଅନେକ ବାଧା ଆସିପାରେ । ତେବେ ଗତକାଲି ଗାତକୁ ଦେଖିବା ପରେ ରୋଭର ସଫଳତାର ସହିତ ନିଜ ଦିଗ ପରିବର୍ତ୍ତନ କରିଛି ।

ସେପଟେ ରବିବାର ସ୍ପେଶ୍‌ ଆପ୍ଲିକେସନ ସେଣ୍ଟର (SAC) ନିର୍ଦ୍ଦେଶକ ନିଲେଶ ଏମ ଦେଶାଈ କହିଥିଲେ, "ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରୁଛି । ଏହାସହିତ ଆମେ ସମୟ ସହିତ ପ୍ରତିଯୋଗିତା କରୁଛି । ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ଗବେଷଣା କରିବା ଲାଗି ରୋଭର ପ୍ରଜ୍ଞାନ ନିକଟରେ ମାତ୍ର ୧୪ ଦିନ ସମୟ ରହିଛି । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଜ୍ଞାନ କିପରି ଅଧିକ ରାସ୍ତା ଅତିକ୍ରମ କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ ସେ ନେଇ ଇସ୍ରୋ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ।"

ଚନ୍ଦ୍ରଯାନ-୩ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ମୁଖ୍ୟ ୩ଟି କାର୍ଯ୍ୟ ରହିଛି । ସେଥିରୁ ୨ଟି ସଫଳ ହୋଇଛି । ଗୋଟିଏ ସଫ୍ଟ ଲ୍ୟାଣ୍ଡିଂ ଓ ଅନ୍ୟଟି ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ସଫଳତାର ସହ ପୃଥକ ହେବା । ଏବେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ଗବେଷଣା କରୁଛି । ୬ ଚକିଆ ରୋଭର ପ୍ରଜ୍ଞାନରେ ବିଭିନ୍ନ ଗବେଷଣା ଲାଗି ଭିନ୍ନ ଭିନ୍ନ ପେଲୋଡ୍‌ ଲଗାଯାଇଛି । ଯାହାକି ଚନ୍ଦ୍ର ମୃତ୍ତିକାର ତାପମାତ୍ରାଠୁ ଆରମ୍ଭ କରି ସେସିମିକ ଆକ୍ଟିଭିଟି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଗବେଷଣା କରୁଛି । ଏହା ତୃତୀୟ ମୁଖ୍ୟ କାର୍ଯ୍ୟ ଥିବା ବେଳେ ଏହା ଏଯାବତ ସଫଳତାର ସହ ଜାରି ରହିଛି ବୋଲି ଦେଶାଈ କହିଛନ୍ତି ।

ଏହା ବି ପଢନ୍ତୁ- Chandrayaan 3 Update: ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ଆସିଲା ନୂଆ ତଥ୍ୟ

ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହିତ ସମାନ । ଏହି ୧୪ ଦିନ ମଧ୍ୟରୁ ୪ ଦିନ ଏଯାବତ ଶେଷ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ କିପରି ଅଧିକ ଗବେଷଣା କରି ହେବ ସେ ନେଇ ଚେଷ୍ଟା ଜାରି ରହିଛି । ହାତରେ କମ ଦିନ ଥିବା ବେଳେ ବହୁତ କିଛି ଗବେଷଣା କରିବା ବାକି ରହିଛି । ଏଣୁ ଆମେ ସମୟ ସହିତ ପ୍ରତିଯୋଗିତା କରୁଛୁ ବୋଲି ସେ କହିଛନ୍ତି ।

ସାମ୍ନାକୁ ଆସିଛି ଚନ୍ଦ୍ର ଦକ୍ଷିଣ ମେରୁ ମୃତ୍ତିକାର ତାପମାତ୍ରା:- ଅନ୍ୟପଟେ ଗତକାଲି ଚନ୍ଦ୍ରପୃଷ୍ଠରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଛି ପ୍ରଜ୍ଞାନ । ଚନ୍ଦ୍ରର ଦକ୍ଷିଣ ମେରୁ ମୃତ୍ତିକାର ତାପମାତ୍ରା ସମ୍ପର୍କରେ ତଥ୍ୟ ଇସ୍ରୋକୁ ମିଳିଛି । ଭାରତ ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲିଂ କରିଛି । ଏ ନେଇ ଇସ୍ରୋ ପକ୍ଷରୁ ମୃତ୍ତିକାର ତାପମାତ୍ରାର ଏକ ଗ୍ରାଫ୍‌ ମଧ୍ୟ ଜାରି କରାଯାଇଛି । ଚନ୍ଦ୍ର ଦକ୍ଷିଣ ମେରୁ ଅଞ୍ଚଳରେ ମୃତ୍ତିକାର ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ମଧ୍ୟରେ ଥିବା ଗ୍ରାଫ୍‌ରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2023, 5:37 PM IST

ABOUT THE AUTHOR

...view details