ବେଙ୍ଗାଲୁରୁ: ଭାରତରବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ମିଶନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଆଜି ରୋଭର ’ପ୍ରଜ୍ଞାନ’ ତାର ସମସ୍ତ କାର୍ଯ୍ୟ ଶେଷ କରି ସ୍ଲିପମୋଡ (ନିଷ୍କ୍ରିୟ ଅବସ୍ଥା)କୁ ଚାଲିଯାଇଛି । ଏହା ଆଉ ପୂର୍ବଭଳି କାର୍ଯ୍ୟକ୍ଷମ ରହିବନାହିଁ କିମ୍ବା ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ କରିବା ନାହିଁ । ଏହାକୁ ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ବର୍ତ୍ତମାନ ନିରାପଦରେ ପାର୍କିଂ କରାଯାଇ ସାରିଥିବା ଇସ୍ରୋ ସ୍ପଷ୍ଟ କରିଛି ।
ଏଥିରେ ଚନ୍ଦ୍ରପୃଷ୍ଠରୁ ତଥ୍ୟ ସଂଗ୍ରହ କରିବା ପାଇଁ ଲାଗିଥିବା APXS ଏବଂ LIBS ପେଲୋଡ୍ ବନ୍ଦ ହୋଇଯାଇଛି । ଏହି ପେଲୋଡ୍ ଗୁଡିକ ମାଧ୍ୟମରେ ସଂଗୃହିତ ତଥ୍ୟ ପ୍ରଜ୍ଞାନ ଲ୍ୟାଣ୍ଡର ‘ବିକ୍ରମ’ ମାଧ୍ୟମରେ ପୃଥିବୀକୁ ପଠାଇ ସାରିଛି । ଏବେ ଏହା ସ୍ଲିପମୋଡକୁ ଚାଲିଯାଇଥିଲେ ସୁଦ୍ଧା ଏହାର ବ୍ୟାଟେରୀ ଶତ ପ୍ରତିଶତ ଚାର୍ଜ ରହିଛି । ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡିବ । ରୋଭର ପ୍ରଜ୍ଞାନର ସମସ୍ତ ସୌର ପ୍ୟାନେଲକୁ ଆସନ୍ତା ଚନ୍ଦ୍ର ଦିବସ ପାଇଁ ସକ୍ରିୟ ରଖାଯାଇଛି । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ଚନ୍ଦ୍ରଯାନ-3 ମିଶନ ଅନୁସାରେ, ଏହା ପୁନର୍ବାର ପୃଥିବୀପୃଷ୍ଠକୁ ଫେରିବାକୁ ନଥିବା ବେଳେ ଏହାକୁ ଚନ୍ଦ୍ରପୃଷ୍ଠର ଭାରତର ରାଷ୍ଟ୍ରଦୂତ (ଲୁନାର ଆମ୍ବାସଡର) ଭାବେ ଅବିହିତ କରିଛି ଇସ୍ରୋ ।