ଲକ୍ଷ୍ନୌ:୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ । ଏହି ଦିନ ଭାରତୀୟଙ୍କୁ ବ୍ରିଟିଶଙ୍କ ଗୁଲାମିରୁ ମିଳିଥିଲା ଆଜାଦି । ଏହାରି ମଧ୍ୟରେ ବିତିଯାଇଛି ୭୪ ବର୍ଷ । ଆଜି ଦେଶ ସ୍ବାଧୀନତାର ୭୫ତମ ବର୍ଷକୁ ପାଳନ କରୁଛି । ଦେଶର ଏହି ଗୌରବଶାଳୀ ଇତିହାସକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସରକାର ଆରମ୍ଭ କରିଛନ୍ତି 'ଅମୃତ ମହୋତ୍ସବ' । ଏହାରି ମାଧ୍ୟମରେ ଅନେକ ବିପ୍ଲବୀଙ୍କ କାହାଣୀ ସମ୍ପର୍କରେ ଅବଗତ ହେଉଛନ୍ତି ଦେଶବାସୀ । ଏହି କାହାଣୀଗୁଡି଼କ ମଧ୍ୟରେ ରହିଛି ଉତ୍ତରପ୍ରଦେଶ ଧର୍ମନଗର ବାରଣାସୀରେ ଥିବା ଅଦ୍ଭୁତ ମନ୍ଦିର । ଯାହାକି 'ଭାରତ ମାତା' ମନ୍ଦିର ନାମରେ ବେଶ ଜଣାଶୁଣା ।
ଭାରତମାତା ମନ୍ଦିର ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ଏହା ଏକ ମନ୍ଦିର, କିନ୍ତୁ ଭିତରକୁ ପ୍ରବେଶ କରିବା ପରେ ଏଠାରେ କୌଣସି ମୂର୍ତ୍ତି କିମ୍ବା ଦେବତାଙ୍କର ଫଟୋ ଦେଖିବାକୁ ମିଳେ ନାହିଁ । କାରଣ ଏଠାରେ ରହିଛି ମାକ୍ରାନା ମାର୍ବଲରେ ନିର୍ମିତ ଅଦ୍ଭୁତପୂର୍ବକ ୩D ମାନଚିତ୍ର । ମହାତ୍ମା ଗାନ୍ଧୀ କାଶି ବିଦ୍ୟାପୀଠ ପରିସରରେ ରହିଛି ଏହି ଭବ୍ୟ ମନ୍ଦିର । ସମ୍ପୂର୍ଣ୍ଣ ବିଶ୍ବରେ ଅଖଣ୍ଡ ଭାରତର ଏହି ମାନଚିତ୍ର ଏଠାରେ ରହିଛି । ଏଥିରେ ଆଫଗାନିସ୍ତାନ, ବାଲୁଚିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶ, ବର୍ମା(ବର୍ତ୍ତମାନର ମିଆଁମାର), ସିଲନ(ବର୍ତ୍ତମାନର ଶ୍ରୀଲଙ୍କା) ଆଦି ଭାଗକୁ ମାର୍ବଲରେ ଦର୍ଶାଯାଇଛି ।
ବାରଣାସୀରେ ରହିଥିବା ଏହି ମନ୍ଦିରର ନିର୍ମାଣ ଶୈଳୀ ବେଶ ଆକର୍ଷଣୀୟ । ନିର୍ମାଣରେ ଲାଲ ପଥର, ମାକ୍ରାନା ମାର୍ବଲ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବ୍ୟବହୃତ ହୋଇଛି । ବାବୁ ଶିବ ପ୍ରସାଦ ଗୁପ୍ତା ମହାତ୍ମା ଗାନ୍ଧୀଙ୍କଠାରୁ ଅନୁମୋଦନ ନେବା ପରେ 1917 ମସିହାରେ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ୧୯୧୭ ମସିହା ଅବିଭକ୍ତ ଭାରତ ଆଧାରରେ ଏହି ମାନଚିତ୍ର ନିର୍ମାଣ ହୋଇଥିଲା । ସମୁଦ୍ରଗର୍ଭଠୁ ଆରମ୍ଭ କରି ପାହାଡ଼ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଏଠାରେ ଦର୍ଶାଯାଇଛି । ଏଥିରେ ୨ଟି ବଡ଼ ନଦୀ ଓ ୮୦୦ ଛୋଟ ନଦୀ ସମେତ ୪୫୦ ପାହାଡ଼ର ଶିଖରକୁ ଦର୍ଶାଯାଇଛି । ଏହି ମନ୍ଦିରରେ କେବଳ ଭାରତ ମାତାଙ୍କ ରାଷ୍ଟ୍ରୀୟ ଧ୍ବଜ ମଧ୍ୟ ଲଗାଯାଇଛି ।