ଅମରାବତୀ:ଆନ୍ଧ୍ର ପ୍ରଦେଶରେ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଛି । ରେଳ ଧାରଣାରେ ଏକ ବିଶାଳ ଲୁହାରଡ ରଖିଥିଲେ କେହି ଦୁର୍ବୃତ୍ତ । ହେଲେ ଲୋକୋ ପାଇଲଟଙ୍କ ସାବଧାନତା ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣା ଟଳିଛି । ଆନ୍ଧ୍ର ପ୍ରଦେଶ ନେଲୋର ଜିଲ୍ଲାର କଭାଲି ଏବଂ ବିଟ୍ରାଗୁଣ୍ଟା ରେଳ ଷ୍ଟେସନ ମଧ୍ୟରେ ନରସାପୁରରୁ ଧର୍ମଭାରମ ମଧ୍ୟରେ ଯାତ୍ରା କରୁଥିବା ଏକ ଏକ୍ସପ୍ରେସ ଟ୍ରେନ ଏହି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି । ଏହି ରୁଟ୍ରେ ମୁସୁନୁର ନିକଟରେ ଦୁର୍ବୃତ୍ତମାନେ ରେଳ ଧାରଣା ଉପରେ ଦୁଇ ମିଟର ଲମ୍ବ ଏକ ବିଶାଳ ଲୁହାରଡ ରଖିଥିଲେ । ଯାହା ଟ୍ରେନକୁ ଦୁର୍ଘଟଣାଗ୍ରସ୍ତ କରାଇବା ଷଡ଼ଯନ୍ତ୍ରରେ ରଖାଯାଇଥିଲା ସନ୍ଦେହ କରାଯାଉଛି । ଯେଉଁଥିରେ ଦୃତଗତିରେ ଧକ୍କା ଖାଇବା ପରେ ରେଳ ଇଞ୍ଜିନ ଲାଇନଚ୍ୟୁତ ହେବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଥିଲା ।
ହେଲେ ଟ୍ରେନର ଲୋକୋ ପାଇଲଟ୍ ଧାରଣାରେ ଥିବା ଏହି ବିଶାଳ ଲୁହାଛଡକୁ କିଛି ଦୂରରୁ ଦେଖିପାରି ତୁରନ୍ତ ଟ୍ରେନ୍ର ବେଗ ନିୟନ୍ତ୍ରଣ କରିଥିଲେ । ଟ୍ରେନର ଗତି ମନ୍ଥର ହୋଇ ରଡ ଖଣ୍ଡକୁ ଧକ୍କା ଦେଇଥିଲା । ରଡଟି ରେଳ ଧାରଣା ବାହାରକୁ ଛିଟିକି ପଡିବାରୁ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଯାଇଥିଲା । ପରେ ଲୋକୋ ପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇଲେ । ଘଟଣା ସମ୍ପର୍କରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:- ଟ୍ରେନରେ ନିଆଁ ଲାଗିଥିବା ଗୁଜବ, ନଦୀକୁ ଡେଇଁଲେ ଯାତ୍ରୀ !