ଇମ୍ଫାଲ:ମଣିପୁରରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ । ମାସ୍କ ପିନ୍ଧା କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ମଣିପୁର ଉଖ୍ରୁଲ ଜିଲ୍ଲା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଲୁଟି ନେଇଛନ୍ତି ୧୮.୮୫ କୋଟି ଟଙ୍କା । ଗତ ଗୁରୁବାର ସନ୍ଧ୍ୟାରେ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ଖେଳାଇ ଲୁଟ୍ କରିଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଯାଞ୍ଚ କରି ଏହି ଲୁଟେରା ଗୋଷ୍ଠୀଙ୍କୁ ଧରିବା ଲାଗି ଛାନଭିନ ଆରମ୍ଭ କରିଛି ।
ସିସିଟିଭି ଫୁଟେଜ ଅନୁସାରେ ୧୦ ଜଣିଆ ମାସ୍କ ପିନ୍ଧା ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ଉଖ୍ରୁଲ ଭିଉଲ୍ୟାଣ୍ଡ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପହଞ୍ଚି ଆତଙ୍କ ଖେଳାଇଥିଲେ । ବ୍ୟାଙ୍କ କର୍ମଚାରୀ କହିଛନ୍ତି ଯେ ଏହି ଦୁର୍ବୃତ୍ତମାନେ ମାସ୍କ ପିନ୍ଧିବା ସହ ଅନ୍ୟ କୌଣସି ଭାଷାରେ କଥା ହେଉଥିଲେ । ଜଣେ ଲୁଟେରା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ସ୍ଥାନରେ ଚୁପ୍ ହୋଇ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ କର୍ମଚାରୀମାନେ ଭୟରେ ଚୁପଚାପ୍ ଠିଆ ହୋଇଥିବା ବେଳେ ଅନ୍ୟ ଲୁଟେରାମାନେ ପୁଳା ପୁଳା ଟଙ୍କା ଲୁଟିଥିଲେ ।
ଏହା ବି ପଢନ୍ତୁ- ବନ୍ଧୁକ ମୁନରେ ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍, ତଦନ୍ତ କରୁଛି ପୋଲିସ