ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଅମେଠି ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ସୂଚନାଅନୁସାରେ, ଏକ ବରଯାତ୍ରୀ ଗାଡିରେ ୧୦ଜଣ ରାୟବରେଲୀ ଜିଲ୍ଲା ନସିରାବାଦ ଅଞ୍ଚଳକୁ ଯାଉଥିବା ସମୟରେ ଗୌରୀଗଞ୍ଜ ଥାନା ଅଞ୍ଚଳର ବାବୁଗଞ୍ଜ ନିକଟରେ ପହଞ୍ଚିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି ।