ଲକ୍ଷ୍ନୌ:ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଘରୁ ବାହାରି ଥିଲେ ପରିବାର ଲୋକେ । ଭାବିଥିଲେ ପୁଅ ପାଇଁ ଝିଅକୁ ଦେଖି ଘରକୁ ଫେରିବେ । ହେଲେ କ୍ଷଣକ ଭିତରେ ସବୁ ଓଲଟପାଲଟ ହୋଇଗଲା । କେହି କିଛି ଭାବିବା ଆଗରୁ ଲିଭିଗଲା ଜୀବନ ଦୀପ । ପୁରା ପରିବାର ଶୂନ୍. ହୋଇଗଲା । ଟ୍ୟାଙ୍କର ସହ ଅଟୋର ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମଙ୍ଗଳବାର ଜହାନାବାଦର ଚିଲ୍ଲୀ ଅଞ୍ଚଳରେ ହୋଇଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି ।
ମୃତକମାନେ ଘାଟମପୁରର ମୁଶାନଗର ଅଞ୍ଚଳର ବାସିନ୍ଦା ରହିଥିଲେ । ଏକ ବାହାଘର ପାଇଁ ଝିଅ ଦେଖିବାକୁ ଏକ ଅଟୋ ଯୋଗେ ପୁରା ପରିବାର ଜହାନାବାଦର ବାରାଦରୀ ମୋହଲେ ଆସୁଥିଲେ । ଏହି ସମୟରେ ଜହାନାବାଦର ଚିଲ୍ଲୀ ଅଞ୍ଚଳରେ ଏକ ମୋଡରେ ସାମ୍ନା ପଟୁ ଆସୁଥିବା ଏକ ଟ୍ୟାଙ୍କର ଅଟୋକୁ ଧକ୍କା ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ: Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ
ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଯିବା ପୂର୍ବରୁ ଡିକେ ଶିବକୁମାରଙ୍କ ବଡ ବୟାନ; ଦଳ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍ କରିବିନି
ଦୁର୍ଘଟଣା ସମୟରେ ଅଟୋରେ ୧୧ଜଣଲୋକ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଦୁର୍ଘଟଣା ପରେ ଅଟୋଟି ପୁରା ଛିନଛତ୍ର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୯ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ରହିଥିବା ଜଣାପଡ଼ିଛି । ଘଟଣାପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତକମାନେ ହେଲେ ଅନିଲ ବି, ତାଙ୍କ ପତ୍ନୀ, ପୁଅ ଝିଅ ଏବଂ ଅନ୍ୟ ସମ୍ପର୍କୀୟମାନେ ରହିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏହି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ଉତ୍ତରପ୍ରଦେଶର ଫତେପୁରରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପ୍ରାଣ ହରାଇଥିବା ପରିବାର ପରିଜନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଏହାସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁତରମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ