ଡେରାଡୁନ: ଋଷଭ ପନ୍ତ କାର ଦୁର୍ଘଟଣା ଘଟଣା । ଏୟାର ଲିଫ୍ଟ ହୋଇ ପାରନ୍ତି ଋଷଭ । ପ୍ଲାଷ୍ଟିକ ସର୍ଜରୀ ପାଇଁ ଋଷଭଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇପାରେ ବୋଲି କହିଛନ୍ତି ଏକ ଡାକ୍ତରୀ ଟିମ । ଆଜି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA)ର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା ।
ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାରରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡେରାଡୁନ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପ୍ଲାଷ୍ଟିକ ସର୍ଜରି ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇ ପାରେ ବୋଲି କୁହାଯାଉଛି ।