ହାଇଦ୍ରାବାଦ (ତେଲେଙ୍ଗାନା): ପିସିସି ସଭାପତି ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ହେବ କଂଗ୍ରେସ ସରକାରର ଶପଥ ଗ୍ରହଣ ସମାରୋହ। ରେବନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ, ଜଣେ ଉପମୁଖ୍ୟମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ରେବନ୍ତଙ୍କ ସମେତ ଆଜି 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ଣ 1ଟା ସମୟରେ ହେବ।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଉଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା । ଖଡ଼ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି। ରେବନ୍ତ ରେଡ୍ଡି, କଂଗ୍ରେସ ନେତାମାନଙ୍କୁ ଭେଟିବା ସହ ସ୍ବାଗତ କରିଛନ୍ତି। ସେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ରେବନ୍ତ ଦିଲ୍ଲୀ ଗସ୍ତ କରି କଂଗ୍ରେସର ଏହି ହେବିୱେଟ ନେତାମାନଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିଥିଲେ।