ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାର ଉଦ୍ଧାରକାର୍ଯ୍ୟ ଆଜିକୁ 7ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଫସିଥିବା ସମସ୍ତ ଶ୍ରମିକ ଜୀବିତ ଓ ସୁରକ୍ଷିତ ଥିବା ଜଣାପଡିଥିଲେ ସୁଦ୍ଧା ସେମାନଙ୍କ ନିକଟରେ ଉଦ୍ଧାରକାରୀ ଟିମ୍ ପହଞ୍ଚିବାରେ ସଫଳ ହୋଇନି । ଏବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । 40 ନୁହେଁ ବରଂ ଟନେଲ ମଧ୍ୟରେ 41 ଶ୍ରମିକ ଫସି ରହିଛନ୍ତି । ଏବେ ଜଣାପଡିଥିବା ଶ୍ରମିକଙ୍କ ନାମ ଦୀପକ କୁମାର ଓ ତାଙ୍କ ଘର ବିହାର ବୋଲି ଜଣାପଡିଛି ।
ଆଜି ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପହଞ୍ଚି ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପିଏମଓର ଉପସଚିବ ମଙ୍ଗେଶ ଗିଲ୍ଡିଆଲଙ୍କ ନେତୃତ୍ବରେ ଏହି ଟିମ୍ ଘଟଣାସ୍ଥଳରେ ଉଦ୍ଧାର ଅପରେସନ ସମୀକ୍ଷା କରିବା ସହ ଉଦ୍ଧାରକାରୀ ଟିମ ସହ ବିଭିନ୍ନ ଦିଗ ନେଇ ଆଲୋଚନା କରିଛନ୍ତି ।
ଘଟଣାସ୍ଥଳରେ ପିଏମଓ ଟିମ୍:-
ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣାର ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପାଞ୍ଚଜଣ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଉତ୍ତରକାଶୀର ଘଟଣାସ୍ଥଳରେ ପହଞ୍ଚିଛି । ପିଏମଓ ଉପସଚିବ ମଙ୍ଗେଶ ଗିଲ୍ଡିଆଲ ଏହି ଟିମରେ ନେତୃତ୍ବ ନେଉଥିବା ବେଳେ ଭୂବିଜ୍ଞାନୀ ବରୁଣ ଅଧିକାରୀ, ଇଞ୍ଜିନିୟର ମହମୁଦ ଅହମ୍ମଦ, ଉପସଚିବ ଭାସ୍କର ଖୁଲଭେ ପ୍ରମୁଖ ରହିଛନ୍ତି । ଏହି ଟିମ ଘଟଣାସ୍ଥଳରେ ଉଦ୍ଧାର ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ଉଦ୍ଧାରକାରୀ ଟିମ ସହ ଆଲୋଚନା ମଧ୍ୟ କରିଛନ୍ତି ।