ହାଇଦ୍ରାବାଦ:ଚଳିତ ବର୍ଷ ପାଣିପାଗ ବିଭାଗର ପୂର୍ବାନୁମାନ ଠାରୁ ସାମାନ୍ୟ କମ ଥିଲା ମୌସୁମୀ ବର୍ଷାର ପରିମାଣ । ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସମଗ୍ର ଦେଶରେ 96% ବର୍ଷା ହେବା ନେଇ ପୂର୍ବାନୁମାନ କରିଥିବା ବେଳେ ମୌସୁମୀ ବାୟୁ ଫେରିଯିବା ପର୍ଯ୍ୟନ୍ତ 94% ବର୍ଷା ରେକର୍ଡ ହୋଇଥିଲା । ସାମଗ୍ରିକ ବର୍ଷାର ପରିମାଣ ପୂର୍ବାନୁମାନ ସହ ପ୍ରାୟ ସମାନ ଥିବା ବେଳେ ଏକ ରିପୋର୍ଟ ଅନୁସାରେ, ଜିଲ୍ଲାଓ୍ବାରୀ ଦୈନିକ ବୃଷ୍ଟିପାତର ପରିମାଣରେ 60% ହ୍ରାସ ପାଇଛି । କିଛି ଜିଲ୍ଲାରେ ଦୈନିକ ବର୍ଷାର ପରିମାଣରେ 60 ପ୍ରତିଶତ ନିଅଣ୍ଟିଆ ରେକର୍ଡ ହୋଇଛି ।
କ୍ଲାଇମେଟ ଟ୍ରେଣ୍ଡ ଉପରେ ଆଧାରିତ 'କାର୍ବନ୍ କପି'ର ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ଚଳିତ ମୋସୁମୀରେ ଦେଶର 73% ଭାଗରେ ବୃଷ୍ଟିପାତ ହୋଇଛି । କିନ୍ତୁ ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣ ରିପୋର୍ଟରେ କୁହାଯାଇଛି ଯେ ଚଳିତ ସିଜନରେ ମୋଟ 81,852 ଜିଲ୍ଲାଓ୍ବାରୀ ବର୍ଷା ଦିବସରୁ ମାତ୍ର 6 ପ୍ରତିଶତରେ ସ୍ବାଭାବିକ ବର୍ଷା ହୋଇଛି । ଗତ 5 ବର୍ଷ ମଧ୍ୟରେ ଦେଶରେ ଦ୍ବିତୀୟ ଥର ପାଇଁ 115.6 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟରେ ମୋଟ ଦୈନିକ ବର୍ଷାର ପରିମାଣରେ 76 ପ୍ରତିଶତ ନିଅଣ୍ଟିଆ ଥିଲା । ତେବେ ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ ସମଗ୍ର ମୌସୁମୀ ଋତୁରେ ଆଗରେ ରହିଥିଲା ଜୁଲାଇ । ଜୁଲାଇରେ ସ୍ବାଭାବିକ ମାତ୍ରା ଠାରୁ 13 ପ୍ରତିଶତ ଅଧିକ ବର୍ଷା ହୋଇଥିଲା । ଯାହା 2005 ପର ଠାରୁ ସର୍ବାଧିକ । ସେହିପରି ମୁଖ୍ୟ ମୌସୁମୀ ମାସ ଅଗଷ୍ଟରେ 36 ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା ।