ଥିରୁଅନନ୍ତପୁରମ:ବଦଳିବ ଦେଶର ଦକ୍ଷିଣତମ ରାଜ୍ୟ କେରଳର ସରକାରୀ ନାମ । କେରଳ ପରିବର୍ତ୍ତେ ଏହାର ନାମ ‘କେରଳମ’ ଭାବେ ପୁନଃନାମିତ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରିଛି । ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନୁସାରେ, ରାଜ୍ୟର ନାମ ପରିବର୍ତ୍ତନ କରିବା ପାଇଁ ଆଜି କେରଳ ବିଧାନସଭାରେ ଏହି ସଙ୍କଳ୍ପ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ରାଜ୍ୟ ସରକାରଙ୍କ ମାତୃଭାଷା ନିୟମାବଳୀ ଅଧୀନରେ ଏହି ସଙ୍କଳ୍ପ ଆଜି ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିଲା । ଏହାକୁ ବିରୋଧୀ ମଧ୍ୟ ସମର୍ଥନ କରିଛନ୍ତି । ଏହି ପାରିତ ସଙ୍କଳ୍ପ ଆଧାରରେ ବିଜୟନ ସରକାର କେନ୍ଦ୍ର ସରକାରଙ୍କୁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ସୁପାରିଶ କରିବ ।
ଆଜି ଏହି ସଙ୍କଳ୍ପକୁ ଆଗତ କରି ମୁଖ୍ଯମନ୍ତ୍ରୀ ପିନାରାଇ ବିଜନୟ କହିଥିଲେ,"ରାଜ୍ୟର ମାତୃଭାଷା ମାଲାୟଲମ ଅନୁସାରେ ‘କେରଳମ’ । 1956 ମସିହା ନଭେମ୍ବର ପହିଲାରେ ଭାଷାଭିତ୍ତିକ ଭାବେ କେରଳ ଦେଶର ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା । ନଭେମ୍ବର ପହିଲାକୁ କେରଳ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟର ମାତୃଭାଷା ଅନୁସାରେ ଏହାର ନାମ ‘କେରଳମ’ । ତେଣୁ ଏହାକୁ ପୁନଃନାମିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ । ସମ୍ବିଧାନର ଅଷ୍ଟମ ସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ରାଜ୍ୟର ନାମକୁ 'କେରଳମ' ଭାବରେ ସ୍ବୀକୃତି ଦେବାକୁ କେରଳ ସରକାର କେନ୍ଦ୍ରକୁ ଅନୁରୋଧ କରିବ ।"
ଏହା ପୂର୍ବରୁ 2016ରେ ବିଧାନସଭା ଅଧିବେଶନରେ ବିଧାୟକ ଏମ୍ ଏମ୍ ମଣି ପ୍ରଥମେ ଏହି ଦାବି ଉଠାଇ ରାଜ୍ୟର ନାମରେ ସଂଶୋଧନ ଆଣି ‘କେରଳମ’ କରିବା ପାଇଁ ଦାବି କରିଥିଲେ । ସେତେବେଳେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇନଥିଲେ । ଏହାପରେ ଏହାକୁ ନେଇ ସରକାରୀ ଭାବେ ବିଚାର ବିମର୍ଶ ଆରମ୍ଭ ହୋଇଥିବା ବେଳେ ଦାବି ମଧ୍ୟ ଜୋର ଧରିଥିଲା । ଏବେ ପିନାରାଇ ବିଜୟନ ସରକାର ଏହାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କେରଳର ନୂତନ ନାମର ଭାଗ୍ୟ ନିର୍ଦ୍ଧାରଣ କରୁଛି ।