ନୂଆଦିଲ୍ଲୀ: ଘରଭଡା ଦେଉନାହାନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆଙ୍କ ସମେତ କିଛି କଂଗ୍ରେସ ନେତା ରହୁଥିବା ସରକାରୀ ବାସଭବନର ଭଡା ବାକି ରଖିଛନ୍ତି (Rent of Congress headquarters Sonia Gandhi's residence not paid) । ସାମାଜିକ କାର୍ଯ୍ୟକର୍ତ୍ତା ସୁଜିତ୍ ପଟେଲଙ୍କ ଦ୍ବାରା ଦାୟର ଏକ ଆରଟିଆଇ(RTI) ଜବାବରୁ ଏହା ଜଣାପଡିଛି । କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଘର ଭଡା ବାକି ପଡିଥିବା RTI ତଥ୍ୟରୁ ସୂଚନା ମିଳିଛି ।
ଆରଟିଆଇ(RTI) ସୂଚନା ଅନୁଯାୟୀ, ଅକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟର ୧୨,୬୯,୯୦୨ ଟଙ୍କା ଘରଭଡା ବକେୟା ପଡିଛି । ଶେଷଥର ପାଇଁ ୨୦୧୨ ଡିସେମ୍ବରରେ ଏହାର ଭଡା ଦିଆଯାଇଥିଲା । ଅନୁରୂପ ଭାବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜନପଥ ସ୍ଥିତ ବାସଭବନର ଭଡା ବାବଦକୁ ୪,୬୧୦ ଟଙ୍କା ବାକି ରଖିଛନ୍ତି । ୨୦୨୦ ସେପ୍ଟେମ୍ବରରେ ଶେଷଥର ପାଇଁ ସୋନିଆ ଭଡା ଦେଇଥିଲେ । ସୋନିଆଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜ ମଧ୍ୟ ଘରଭଡା ବାକି ରଖିଛନ୍ତି । ଦିଲ୍ଲୀ ଚାଣକ୍ୟପୁରୀରେ ଥିବା ବଙ୍ଗଳା ନଂ C-ll/109ରେ ରହୁଥିବା ଭିନସେଣ୍ଟଙ୍କ ୫,୦୭,୯୧୧ ଟଙ୍କା ବାକି ରହିଛି । ୨୦୧୩ରେ ଶେଷଥର ପାଇଁ ଏହାର ଭଡା ଦିଆଯାଇଥିଲା ।