ନୂଆଦିଲ୍ଲୀ: ଦୂରଦର୍ଶନର ଖ୍ୟାତିନାମା ଉପସ୍ଥାପିକା/ଆଙ୍କର ଗୀତାଞ୍ଜଳି ଆୟାରଙ୍କ ପରଲୋକ । ସେ ଦୂରଦର୍ଶନର ପ୍ରଥମ ଇଂରାଜୀ ଖବର ଉପସ୍ଥାପିକା ଥିଲେ ଏବଂ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ଭାବେ ପୁରସ୍କାର ପ୍ରାପ୍ତ ଗୀତାଞ୍ଜଳିଙ୍କ ଗତକାଲି (ବୁଧବାର) ଦେହାନ୍ତ ହୋଇଛି । ତାଙ୍କର ନିଧନ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଲୋକପ୍ରିୟ ଟିଭି ଉପସ୍ଥାପିକାଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୂରଦର୍ଶନର ପ୍ରଥମ ଓ ପ୍ରଖ୍ୟାତ ଇଂରାଜୀ ଖବର ଆଙ୍କରଙ୍କ ବିୟୋଗ ଖବର ଶୁଣି ଖୁବ୍ ଦୁଃଖତ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।
ଯାହା ସୂଚନା ମିଳିଛି, ଗୀତାଞ୍ଜଳି ଆୟାର ପାରକିନସନ ରୋଗରେ ପୀଡିତ ଥିଲେ । ଗତକାଲି ସେ ବାହାରେ ବୁଲାବୁଲି କରି ଘରକୁ ଫେରିବା ସମୟରେ ହଠାତ୍ ଅଚେତ ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ତାଙ୍କ ପରିବାରର ଜଣେ ଘନିଷ୍ଠ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଆୟାର କୋଲକାତା ଲୋରେଟୋ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ୧୯୭୧ ମସିହାରରେ ଦୂରଦର୍ଶନରେ ଯୋଗ ଦେଇଥିଲେ । ଶ୍ରେଷ୍ଠ ଉପସ୍ଥାପିକା ଭାବେ ତାଙ୍କୁ ୪ ଥର ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା, ଅଦ୍ଭୁତପୂର୍ବ ସଫଳତା ପାଇଁ ୧୯୮୯ରେ ସେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।