ମୁମ୍ବାଇ: ପୋଲିସ ଆଗରେ କେବେ ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୁଏ, ତ ଆଉ କେବେ ସୁରକ୍ଷାରେ ତ୍ରୁଟି ଓ ବିଫଳତା କାରଣରୁ ବଦଳନ୍ତି ଅଫିସର । 1993 ବୋମା ବିସ୍ଫୋରଣ ହେଉ କି 26/11 ଆତଙ୍କବାଦୀ ଆକ୍ରମଣ ଘଟଣା । ଦେଶର ଆର୍ଥିକ ରାଜଧାନୀ ସୁରକ୍ଷାକୁ ନେଇ ସର୍ବଦା ବଡ ଚ୍ୟାଲେଞ୍ଜର ସାମ୍ନା କରିଆସିଛି ମୁମ୍ବାଇ ପୋଲିସ । ଏହାରି ମଧ୍ୟରେ ବଦଳିଛି ସରକାରଙ୍କ କ୍ଷମତା ଆଉ ତା ସହିତ ବଦଳିଯାଇଛି ଅଫିସରଙ୍କ ପଦପଦବୀ । ମୁମ୍ବାଇରେ ପୋଲିସ କମିଶନର ବଦଳି କୌଣସି ବଡ କଥା ନୁହେଁ । ହେଲେ କିଛି ଦିନରୁ ସନ୍ଦେହ ଘେରରେ ରହିଥିବା ମୁମ୍ବାଇ ପୋଲିସର ବଡ ସ୍ତରରେ ବଦଳି ଛିଡା କରିଛି ପ୍ରଶ୍ନ ଚିହ୍ନ ।
ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ଏନଆଇଏ ଯାଞ୍ଚ ମଧ୍ୟରେ ଅଚାନକ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମିଳିଛି ମୁମ୍ବାଇ ପୋଲିସ କମିଶନର ଦାୟିତ୍ବ । ତେବେ ଏନଆଇଏ ଯାଞ୍ଚ ଚାଲିଥିବା ବେଳେ କଣ ପାଇଁ ହଟିଲେ ମୁମ୍ବାଇ ପୋଲି କମିଶନର ? କଣ ରହିଛି ଏହା ପଛରେ ଉଦ୍ଦେଶ୍ୟ ? ୱାଜେଙ୍କ ପରେ ପଡିବ କି ପରମବୀରଙ୍କ ପାଳି? ଏସବୁ ପ୍ରଶ୍ନ ଭେତରେ ଏବେ ଖୋଦ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ସରକାର ।
ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭାବନ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଓ ପରେ ସେହି ଗାଡିର ମାଲିକର ମୃତ୍ୟୁ ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଘଟଣାକୁ ବିତିଲାଣି 20ରୁ ଉର୍ଦ୍ଧ୍ବ ଦିନ । ହେଲେ ଏଯାବତ ଘଟଣାରେ ହୋଇନାହିଁ କୌଣସି ଗୁରୁତ୍ବପୂର୍ଣ୍ଣ ଖୁଲାସା । ମହାରାଷ୍ଟ୍ର ଏପିଆଇ ସଚିନ ୱାଜେଙ୍କ ଗିରଫ ଘଟଣାରୁ ନେଇ ମୁମ୍ବାଇ ପୋଲିସ କମିଶନର ପରିମବୀର ସିଂହଙ୍କ ବଦଳି, ମାମଲାକୁ ଦେଇଛି ନୂଆ ମୋଡ ।
25 ଫେବୃଆରୀ ମୁକେଶ ଅମ୍ବାନୀଙ୍କ ବାସାଭବନ ସାମ୍ନାରୁ ମିଳିଥିଲା ବିସ୍ଫୋରକ ଭର୍ତ୍ତି ଗାଡି । ପରେ ମାର୍ଚ୍ଚ 5ରେ ମିଳିଥିଲା ଗାଡି ମାଲିକର ମୃତଦେହ । ଘଟଣାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ମୁମ୍ବାଇ ପୋଲିସର ଏପିଆଇ ସଚିନ ୱାଜେ । ସଚିନଙ୍କ ଗିରଫଦାରୀକୁ ନେଇ ଦାବି କରିଥିଲା ଭାରତୀୟ ଜନତା ପାର୍ଟି । 6 ମାର୍ଚ୍ଚରେ ଏଟିଏସ ହାତରେ ହସ୍ତାନ୍ତର କରାଗଲା ତଦନ୍ତଭାର । 8 ମାର୍ଚ୍ଚରେ ଜାତୀୟ ତଦନ୍ତକାରୀ ଦଳ ଏନଆଇଏ ନେଲା ଆଣ୍ଟିଲିଆ ମାମଲାର ତଦନ୍ତ ଭାର । 13 ମାର୍ଚ୍ଚରେ ସଚିନ ୱାଜେଙ୍କୁ ଜେରା କରିଥିଲା ଏନଆଇଏ । ଦୀର୍ଘ ଘଣ୍ଟାର ଜେରା ପରେ ସଚିନଙ୍କୁ ଗିରଫ କରିଥିଲା ଏନଆଇଏ । 15 ମାର୍ଚ୍ଚରେ ସଚିନ ୱାଜେଙ୍କୁ କରାଗଲା ନିଲମ୍ବନ ଆଉ ଏହାର ଦୁଇ ଦିନ ପରେ ଅର୍ଥାତ 17 ମାର୍ଚ୍ଚରେ ବଦଳିଗଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ।