ହାଇଦ୍ରାବାଦ: ସେ ଥିଲେ ପ୍ରତିରକ୍ଷା ବିଭାଗର ରକ୍ଷକ, ପ୍ରେରଣାଦାୟୀ ଶିକ୍ଷକ । ପ୍ରତି ନାହିଁ ନାହିଁକୁ ପାଦ ଦଳିତ କରି ହଁରେ ପରିଣତ କରିବାର ବାଜିଗର । ସେ ଶିଖାଉ ଥିଲେ ଦେଖିବାକୁ ଶୁଆଇ ନ ଦେବାର ସ୍ବପ୍ନ । ସେ ଶିଖାଉଥିଲେ ବିଫଳତାରୁ ଜ୍ଞାନ ଆହରଣ କରିବାର ଗୁରୁମନ୍ତ୍ର । ସେ ଥିଲେ ଭାରତ ରତ୍ନ ଡ. ଅବୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ । ଆଜିର ଦିନରେ ଏ ମାଟି ମା' ଏକ କୋହିନୂରକୁ କୋଳରେ ପାଇଥିଲା । ଆଜି ସେହି କୋହିନୂର ମିସାଇଲ ମ୍ୟାନ୍ ଅବଦୁଲ କଲାମଙ୍କ 90ତମ ଜନ୍ମ ଜୟନ୍ତୀ ।
1931 ମସିହା ଅକ୍ଟୋବର 15ରେ ତାମିଲନାଡୁ ରାମେଶ୍ୱରମର ଏକ ତାମିଲ ମୁସଲିମ୍ ପରିବାରେ ଜନ୍ମଗ୍ରହଣ କରିଥିଲେ କଲାମ । ପିଲାଟି ବେଳୁ ତାଙ୍କୁ ପରିବାରର ଆର୍ଥିକ ଅନଟନର ଶିକାର ହେବାକୁ ପଡିଥିଲା । ସେଥିପାଇଁ ସେ ପାଠ ପଢିବା ସହ ଖବରକାଗଜ ବିକ୍ରି ମଧ୍ୟ କରୁଥିଲେ । ପିଲାଟି ବେଳୁ ହିଁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ । ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସରେ ଏରୋସ୍ପେସ୍ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।
କଲାମ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟର ଡିଜାଇନରରୁ । ପରେ ସେ ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ INCOSPR କମିଟିରେ ସେ ସାମିଲ ହୋଇଥିଲେ । ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି ।
୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ । ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (SLV-୩)ର ପ୍ରୋଜେକ୍ଟ ଡାଇରେକ୍ଟର । ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସାଟେଲାଇଟ୍କୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା । ୧୯୬୫ରେ ସେ DRDOରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ ।