ହାଇଦ୍ରାବାଦ: ହାଇଦ୍ରାବାଦରେ ବଢିଚାଲିଛି ବୁଲା କୁକୁରଙ୍କ ପ୍ରାର୍ଦୁଭାବ । ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଲୋକଙ୍କ ଜୀବନ ନେଉଛନ୍ତି ବୁଲା କୁକୁର । କେଉଁଠି କୁକୁର ଆକ୍ରମଣରେ କଅଁଳ ଶିଶୁର ଜୀବନ ଗଲାଣିତ ଆଉ କେଉଁଠି ବୟସ୍କ ବ୍ୟକ୍ତି ଟିଏ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲାଣି । ଗୋଟିଏ ଦିନରେ 100 ଜଣ କୁକୁର ଆକ୍ରମଣର ଶିକାର ହେଉଥିବା ହାଇଦ୍ରାବାଦର ସରକାରୀ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି । ନିକଟରେ ବାଗ ଅମ୍ବରପେଟରେ କୁକୁର ଆକ୍ରମଣ ଯୋଗୁଁ ଏକ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମ୍ୟୁନିସିପାଲଟିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦିନକୁ ଦିନ କୁକୁର ଆକ୍ରମଣ ବଢିଚାଲିଥିବା ବେଳେ ମ୍ୟୁନିସିପାଲଟି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ବର୍ତ୍ତମାନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏନେଇ ମ୍ୟୁନିସିପାଲଟି କାହିଁକି ଯାଞ୍ଚ କରୁନାହିଁ ଓ କୁକୁର ଜନସଂଖ୍ୟା ବୃଦ୍ଧିରେ କାହିଁକି ରୋକ ଲଗାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ଫଳରେ ବଢୁଥିବା କୁକୁରଙ୍କ ଆକ୍ରମଣକୁ ନେଇ ମ୍ୟୁନିସିପାଲିଟିକୁ ଦାୟୀ କରିଛନ୍ତି ସାଧାରଣ ଜନତା ।
ବନ୍ଧ୍ୟାକରଣକୁ ଅବହେଳା:ମ୍ୟୁନିସିପାଲଟି କର୍ମଚାରୀ ମାନେ କେବଳ ରାସ୍ତା, ପାନୀୟ ଜଳ, ଡ୍ରେନ୍, ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଥିବା ବେଳେ କୁକୁରଙ୍କ ଯୋଗୁଁ ଘଟୁଥିବା ଅଘଟଣକୁ ଗୁରୁତ୍ବ ଦେଉ ନାହାନ୍ତି । ଏପରିକି କୁକୁର ବନ୍ଧ୍ୟାକରଣ ପାଇଁ କମ ଫଣ୍ଡିଂ କରାଯାଉଛି । ଯାହାର ଆବଶ୍ୟକତା ରହିଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ । କୁକୁର ବନ୍ଧ୍ୟାକରଣ କରାଗଲେ କୁକୁରଙ୍କ ସଂଖ୍ୟା କମିବା ସହ ଆକ୍ରମଣ ଜନିତ ଘଟଣା ହ୍ରାସ ପାଇବା ନେଇ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ମତ ରଖିଛନ୍ତି ।
ଜଣେ ଅଭିଯୋଗକାରୀ କହିଛନ୍ତି ଯେ,''ଯଦି କେଉଁ ଅଞ୍ଚଳରେ କୁକୁର ଆକ୍ରମଣ ନେଇ ବଡ ଘଟଣା ଘଟିଥାଏ ତେବେ ସେହି ସମୟରେ ମ୍ୟୁନିସିପାଲଟି ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଥାଏ । କର୍ମଚାରୀ ମାନେ ଆସି କୁକୁର ମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରିଥାନ୍ତି । ଫଳରେ ଉକ୍ତ ଅଞ୍ଚଳରେ କୁକୁର ଭୟ ଦୂର ହୋଇଥାଏ । କିନ୍ତୁ ପୁରା ହାଇଦ୍ରାବାଦବାସୀଙ୍କ ପାଇଁ କୁକୁରଙ୍କ ପ୍ରାର୍ଦୁଭାବ ଏବେ ଚିନ୍ତାର କାରଣ ପାଲଟିଛି ।
ଗତ 19 ତାରିଖରେ ବାଗ ଅମ୍ବରପେଟରେ ଏକ ଚାରି ବର୍ଷର ଶିଶୁକୁ ବୁଲା କୁକୁର ଆକ୍ରମଣ କରିଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଏହା ଚକିତ କରିଥିଲା । ତେବେ ହାଇଦ୍ରାବାଦର କୋଣ ଅନୁକୋଣରେ ଏପରି ଘଟଣା ଘଟୁଥିବା ବେଳେ ଅନେକ ଘଟଣା ସାମ୍ନାକୁ ମଧ୍ୟ ଆସି ପାରୁନାହିଁ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।