ନୂଆଦିଲ୍ଲୀ: ଆଜି ବନ୍ଦ ରହିବ ଲାଲକିଲ୍ଲା । ଆନ୍ଦୋଳନ ନାଁରେ ଅରାଜକତା ପରେ କିଲ୍ଲାକୁ ବନ୍ଦ ରଖାଯାଇଛି । ଏହା ସହ ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ପରିଣତ ହୋଇଥିଲା । ଦିଲ୍ଲୀ ଭିତରକୁ ପଶି ଆସିବା ସହ ଲାଲକିଲ୍ଲାରେ ସଙ୍ଗଠନିକ ଧ୍ବଜା ଉଡାଇବାକୁ ପଛାଇ ନଥିଲେ ଆନ୍ଦୋଳନରତ ଚାଷୀ । ଯାହାକୁ ନେଇ ଚାଷୀ- ପୋଲିସଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସାଧାରଣତଃ ସାଧାରଣତନ୍ତ୍ର ଦିବସ ପାଳନ ପରେ ସର୍ବସାଧାରଣ ପାଇଁ ଲାଲକିଲ୍ଲା ଖୋଲାଯାଇଥାଏ ।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ବାହାରିଥିଲେ । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ 3 ରୁଟରେ ଆନ୍ଦୋଳନ କରିବାକୁ ଅନୁମତି ମିଳିଥିଲା । ହେଲେ ହଠାତ ଚାଷୀମାନେ ରୁଟ ବଦଳାଇ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ଭିତରେ ପ୍ରବେଶ କରିବାରୁ ପୋଲିସକୁ ଶକ୍ତ ହେବାକୁ ପଡିଥିଲା । ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ, ଲାଠିଚାର୍ଚ୍ଚ ଆରମ୍ଭ କରିଥିଲେ । ସେପଟେ କେତେକ ଚାଷୀ ପୋଲିସଙ୍କ ଉପରେ ଆକ୍ରମଣାତ୍ମକ ହମଲା କରିଥିଲେ । କେତେବେଳେ ଟ୍ରାକ୍ଟର ଚଢାଇ ଥିଲେ ଆଉ କେତେକ ଖଣ୍ଡା ଧରି ଗୋଡାଇଥିଲେ । ଏହା ପରେ ସେମାନେ ଜୋରଜବରଦସ୍ତ ଲାଲକିଲ୍ଲାରେ ପହଞ୍ଚି ସେଠାରେ ସଙ୍ଗଠନ ପତାକା ଉଡାଇଥିଲେ ।