ଜୟପୁର: ତିନୋଟି ନୂଆ କୃଷି ସମ୍ବନ୍ଧୀୟ ଆଇନ ଉପରେ ପୁନଃବିଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଥିବାବେଳେ ଏହା ଉପରେ ପୁନଃବିଚାର କରିବାକୁ ଗେହଲଟ ମୋଦିଙ୍କୁ ଚିଠି ଲେଖିଛନ୍ତି ।
ସେହିପରି ଜିଡିପି (ମୋଟ ଘରୋଇ ଉତ୍ପାଦ) ଉପରେ କୃଷି କ୍ଷେତ୍ରର ସହଭାଗିତା ଅଧିକ ଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । 2020-21 ଆର୍ଥିକ ବର୍ଷର କ୍ବାର୍ଟର 2ରେ ଜିଡିପି ଯେତେବେଳେ 7.5 ପ୍ରତିଶତ ସଙ୍କୁଚିତ ହୋଇଥିଲା ସେତେବେଳେ କୃଷିକ୍ଷେତ୍ରରେ ଏହା 3.4 ପ୍ରତିଶତ ବଢିଥିଲା । ଯାହାକି ଦେଶର ଜିଡିପିକୁ ବଞ୍ଚାଇଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଇନ ଉପରେ ପୁନଃବିଚାର କରିବାକୁ ସେ କହିଛନ୍ତି ।
ଅନ୍ୟପଟେ ନଭେମ୍ବର 26 ତାରିଖରେ ଯେତେବେଳେ ସାରା ଦେଶ ସମ୍ବିଧାନ ଦିବସ ପାଳୁଥିଲା, ସେତେବେଳେ କୃଷକମାନେ ରାଜରାସ୍ତାରେ ଥିବା ସହ ଲାଠି ଓ ପାଣି ମାଡ ଖାଉଥିଲେ । ତେଣୁ କେନ୍ଦ୍ର ସରକାର ଏହାକୁ ଶୀଘ୍ର ସମାଧାନ କରିବାକୁ ଗେହଲଟ ଚିଠିରେ ଉଲ୍ଲେଖ କରିଛନ୍ତି ।