ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି । ବୁଧବାର ତୃତୀୟ ଦିନରେ ଲୋକସଭା ଜମ୍ମୁ କାଶ୍ମୀର ସମ୍ପର୍କିତ 2ଟି ବିଲ୍ ପାସ ହୋଇଥିଲା । ବିଲ୍ ପାରିତ ହେବା ପରେ ପିଓକେ ନେହେରୁଙ୍କ ଭୁଲ ବୋଲି କହି ତାଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ବିଜେପିକୁ ଟାର୍ଗେଟ କରିଛନ୍ତି । ଜାମ୍ମୁକାଶ୍ମୀରକୁ ନେଇ ରାଜନୀତି ଛଡା ବିଜେପି କିଛି କରିନାହିଁ ବୋଲି କହିଛନ୍ତି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ସେହି ପରି କଂଗ୍ରେସ ନେତା ଅଧୀନ ରଞ୍ଜନ ଚୌଧୁରୀ ମଧ୍ୟ ବିଜେପିକୁ ନିଶାନା ମାରିଛନ୍ତି ।
ଶିବସେନା ସାଂସଦ (ୟୁଟିବି) ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି,''75 ବର୍ଷ ପୁରୁଣା ଇତିହାସ ବାହାର କରି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମାଲୋଚନା କରି ଆଜି ଭାରତୀୟ ଜନତା ପାର୍ଟି ବହୁମତ ସରକାର ଗଠନ କରିଛି । ବିଜେପି ଯେବେ ବହୁମତ ସରକାର ଗଠନ କରି ଧାରା 370 ହଟାଇଥିଲେ ସେ ଇତିହାସ ରଚିଥିବା କହିଥିଲେ । ଯଦି ଇତିହାସ ରଚିଛ ତେବେ ଆଜି ଯାଏଁ ଜାମ୍ମୁ କାଶ୍ମୀରରେ କାହିଁକି ନିର୍ବାଚନ ହୋଇପାରିନାହିଁ । କାହିଁକି ଆତଙ୍କବାଦୀ ଆକ୍ରମଣ ଖତମ କରିବେ ଓ ପାକିସ୍ତାନକୁ ଲାଲ ଆଖି ଦେଖେଇବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ହୋଇନାହିଁ । 370 ହଟିବା ପରେ କାଶ୍ମୀର ପଣ୍ଡିତ ଫେରିବେ ବୋଲି କହିଥିଲେ ହେଲେ ଆଜି ଯାଏଁ ତାଙ୍କୁ ସୁରକ୍ଷା ଦିଆଯାଇପାରିନାହିଁ । କାଶ୍ମୀର ପଣ୍ଡିତ ଓ ଟାର୍ଗେଟ କିଂଲିକୁ ନେଇ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ରାଜନୀତି କରିଛନ୍ତି ହେଲେ ସେମାନଙ୍କ ପାଇଁ କିଛି କରିନାହାନ୍ତି । ଅନ୍ୟକୁ କହିବା ପୂର୍ବରୁ ଇତିହାସକୁ ସମାଲୋଚନା କରିବା ପୂର୍ବରୁ ନିଜେ କଣ କରିଛନ୍ତି ତାହା ପ୍ରଥମେ ଦେଖନ୍ତୁ ।''