ଚେନ୍ନାଇ: LOCKDOWN ସମୟରେ ଦୋକାନରେ ଝୁଲିଥିଲା ତାଲା । ଆଉ ମଦ ନିଶାରେ ମସଗୁଲ ଥିଲେ ମୂଷା । ମଦ ନିଶା ଏତେ ଚଢିଥିଲା ଯେ ଏହି ମଦ୍ୟପ ମୂଷାମାନେ ଗୋଟିଏ କି ଦୁଇଟି ନୁହେଁ, ଖାଲି କରିଦେଇଛନ୍ତି 12ଟି ବୋତଲ ।
ତାମିଲନାଡୁ ନିଳଗିରିର ଏକ ମଦ ଦୋକାନରେ ମୂଷାମାନେ LOCKDOWN ସମୟରେ ଆତଙ୍କ ଖେଳାଇଥିବା ହୋଇଛି ଅଭିଯୋଗ । ଏମାନେ ମଦ ଭର୍ତ୍ତି 12ଟି ବୋତଲ ପିଇ ଖାଲି କରିଦେଇଥିବା ଖବର ସାମ୍ନାକୁ ଆସିଛି । ନିଳଗିରି ଜିଲ୍ଲା ଗୁଡାଲୁର ସହରରେ ଘଟିଛି ଏଭଳି ଘଟଣା ।
ସୋମବାର ଏହି ମାମଲା ସାମ୍ନାକୁ ଆସିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କମ୍ପାନୀର ଜଣେ କର୍ମଚାରୀ ଦୋକାନ ଖୋଲିବା ପରେ ଜଣାପଡିଥିଲା ଯେ 12ଟି ମଦ ବୋତଲ ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି ।
ଲକଡାଉନ କାରଣରୁ ଦୀର୍ଘ ଦିନରୁ ବନ୍ଦ ଥିଲା ମଦ ଦୋକାନ । ଦୋକାନ ଖୋଲିବା ପରେ ମଦ ଭର୍ତ୍ତି 12 ବୋତଲ ଖାଲିଥିବା ଦେଖିବାକୁପାଇଥିଲେ କର୍ମଚାରୀ । ବୋତଲ ଉପରେ ମୂଷା ଦାନ୍ତ ଚିହ୍ନ ମିଳିଛି ।
କର୍ମଚାରୀମାନେ ଉପରସ୍ଥ ଅଧିକାରୀଙ୍କୁ ଖବର ଦେବାପରେ ଆରମ୍ଭ ହୋଇଥିଲା ଯାଞ୍ଚ । ତେବେ ଶେଷରେ ମୂଷାମାନେ ହିଁ ମଦ ପିଇଥିବା ସ୍ପଷ୍ଟ ହୋଇଛି । ଏହି ବୋତଲଗୁଡିକର ମୂଲ୍ୟ 1500 ଟଙ୍କା ଥିବା ଅଧିକାରୀ ସୂଚନା ଦେଇଛନ୍ତି ।