ଓଡିଶା

odisha

ETV Bharat / bharat

ETV Bharat Ground Report: ବାଞ୍ଛଡା ସମାଜର କଳା କାହାଣୀ, ମାତୃଗର୍ଭରୁ ସ୍ଥିର ହୁଏ ବିବାହ - ମାତୃଗର୍ଭ

କଥାରେ ଅଛି ବିବାହ କୌଣସି ଖେଳ ଘର ନୁହେଁ । ହେଲେ ମଧ୍ୟପ୍ରଦେଶ ରତଲାମ-ମନ୍ଦସୌର ହାଇୱେ ପାର୍ଶ୍ବରେ ରହୁଥିବା ବାଞ୍ଛଡା ସମାଜରେ ମାତୃଗର୍ଭରୁ ସ୍ଥିର ହୋଇଯାଏ ଝିଅର ବିବାହ । ନାମକରଣ ପୂର୍ବରୁ ଝିଅର ନାଁ ଅନ୍ୟ ସହିତ ଯୋଡି ଦିଆଯାଏ । ପଢନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ

Etv Bharat
Etv Bharat

By

Published : Jun 26, 2023, 4:10 PM IST

ଭୋପାଳ:ଏଠାରେ ମାଆ ପେଟରୁ ହିଁ ସ୍ଥିର ହୋଇଥାଏ ବିବାହ । ମାତୃଗର୍ଭରେ ବଢୁଥିବା ଝିଅଟି ବଡ଼ ହେଲେ କାହାକୁ ବାହା ହେବ ତାହା ଏଠାରୁ ହିଁ ନିର୍ଦ୍ଧାରଣ କରାଯାଏ । ଶିଶୁକନ୍ୟାଟିର ନାମ ପୂର୍ବରୁ କାହାକୁ ସେ ବିବାହ କରିବ ତାହା ଠିକ କରିଥାନ୍ତି ପରିବାର ଲୋକେ । ପ୍ରତିଟି ବ୍ୟକ୍ତିର ନିଜ ଜୀବନ ସାଥୀ ବାଛିବାର ଅଧିକାର ରହିଛି । ହେଲେ ଏଠାରେ ବେଶ୍ୟାବୃତ୍ତି କରୁଥିବା ମାଆ ଜନ୍ମ ପୂର୍ବରୁ ଝିଅକୁ ପର କରିଦିଏ । ଏ କାହାଣୀ ହେଉଛି ମଧ୍ୟପ୍ରଦେଶ ରତଲାମ-ମନ୍ଦସୌର ହାଇୱେ ନିକଟରେ ବସବାସ କରୁଥିବା ବାଞ୍ଛଡା ସମ୍ପ୍ରଦାୟର । ଯେଉଁଠି ରାତି ହେବା ମାତ୍ରେ ଓଠରେ ଲିପଷ୍ଟିକ ମାରି ଘର ବାହାରେ ବସିପଡ଼ନ୍ତି ଯୁବତୀ ।

ଏହି ସମ୍ପ୍ରଦାୟରେ ଜନ୍ମଗ୍ରହଣ କରୁଥିବା ଶିଶୁକନ୍ୟାର ରହିଥାଏ ଭିନ୍ନ ସମ୍ବିଧାନ । ମାଆ ପେଟରୁ ଆରମ୍ଭ କରି ପୃଥିବୀ ପୃଷ୍ଠରେ ପାଦ ଥାପିବା ପର୍ଯ୍ୟନ୍ତ ତାର ଭାଗ୍ୟ ପୂର୍ବରୁ ନିର୍ଦ୍ଧାରଣ ହୋଇଯାଏ । ସେମାନେ ଛୋଟବେଳେ ଖେଳନ୍ତି ସତ, ହେଲେ ବାସ୍ତବରେ ସେମାନଙ୍କ ପାଦରେ ବନ୍ଧାଯାଇଥାଏ ଶିକୁଳି । ନିଜ ଜୀବନକୁ ନିଜ ଇଚ୍ଛାର ବିତାଇବାର ସ୍ବାଧୀନତା ଯେପରି ତାଙ୍କର ଜନ୍ମ ହେବା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥାଏ । ରତଲାମ-ମନ୍ଦସୌର ହାଇୱେ ପାର୍ଶ୍ବରେ ଥିବା ବାଞ୍ଛଡା ସମ୍ପ୍ରଦାୟର ବଡ଼ ବଡ଼ ଅଟ୍ଟାଳିକା ସାଙ୍ଗକୁ ଏଠାକାର ଚାଲିଚଳନ ସମସ୍ତଙ୍କୁ ବିସ୍ମିତ କରେ । କହିବାକୁ ଗଲେ ଏମାନେ ଭାରତରେ ରୁହନ୍ତି ସତ, ହେଲେ ଏମାନଙ୍କର ସମ୍ବିଧାନ ସମ୍ପୂର୍ଣ୍ଣ ଭିନ୍ନ ।

ନାମକରଣ ପୂର୍ବରୁ ସ୍ଥିର ହୁଏ ବିବାହ:-ବାଞ୍ଛଡା ସମ୍ପ୍ରଦାୟର ଶିଶୁକନ୍ୟାଟିଏ ସତେ ଯେପରି ତାର ଅଧିକାର ହରାଇ ବସେ । ମାଆ ପେଟରେ ଥିବା ସମୟରେ ତାର ବିବାହ ସ୍ଥିର ହୋଇଯାଏ । ଜନ୍ମ ହେବା ପରେ ସେମାନଙ୍କୁ ଶିକ୍ଷା ଦିଆଯାଏ । ଆଉ ଯେମିତି ଶିଶୁକନ୍ୟାଟି ୧୭ ବର୍ଷ ଛୁଏଁ, ସେତେବେଳେ ତାର ବିବାହ କରାଇଦିଆଯାଏ । ହାଇୱେରେ ରହୁଥିବା ଲକ୍ସରୀ ଗାଡ଼ିଗୁଡ଼ିକ ଓ ସେଠାକୁ ଯାଉଥିବା ବାଞ୍ଛଡା ସମ୍ପ୍ରଦାୟର ଯୁବତୀଙ୍କ ମଧ୍ୟରେ ଯେପରି ଫସିଯାଇଛି ଏହି କୁନି କୁନି ଶିଶୁଙ୍କ ଭବିଷ୍ୟତ ।

ବାଞ୍ଛଡା ସମାଜର କଳା କାହାଣୀ:-ରତଲାମ ହାଇୱେ ନିକଟ ସ୍ଥିତ ମାନନଖେଡା ଗ୍ରାମରେ ପ୍ରାୟ ୧୮୦୦ରୁ ଅଧିକ ଘର ରହିଛି । ଏଠାରେ ବାଞ୍ଛଡା ସମ୍ପ୍ରଦାୟର ଲୋକେ ମଧ୍ୟ ବସବାସ କରନ୍ତି । ହାଇୱେକୁ ଲାଗିଥିବା ଘରଗୁଡ଼ିକ ଏମାନଙ୍କର । ଏଠାରେ ରହୁଥିବା ଛୋଟ ଛୋଟ ଝିଅମାନେ ବିବାହର ଅର୍ଥ ଜାଣିନଥିଲେ ସୁଦ୍ଧା କାହାକୁ ବିବାହ କରିବେ ତାହା ସେମାନେ ଜାଣିଥାନ୍ତି । କିଛି ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲେ ସୁଦ୍ଧା ସେମାନେ ବେଶ୍ୟାବୃତ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ପରିବାର ପ୍ରତିପୋଷଣ ପାଇଁ କିଛି ଯୁବତୀ ଏହି ରାସ୍ତା ବାଛନ୍ତି ବୋଲି କୁହନ୍ତି ଏଠାକାରବାସୀ ।

ଏଠାରେ ଖାଲି ଯୁବତୀ ନୁହେଁ, ବରଂ ସେମାନଙ୍କ ଭାଇମାନଙ୍କୁ ମଧ୍ୟ ଦେଖିବାକୁ ମିଳେ । ଆଶ୍ଚର୍ଯ୍ୟକର କଥା ହେଉଛି ଭଉଣୀର ବେଶ୍ୟାବୃତ୍ତିରୁ ରୋଜଗାର ହେଉଥିବା ଅର୍ଥରେ ସେମାନଙ୍କ ପେଟକୁ ଦାନା ଯାଏ । ଏମିତିକି କିଛି ଲୋକଙ୍କ ଘର ଏଥିରେ ହିଁ ଚଳେ । ଅନ୍ୟପଟେ ଆଉ କିଛି ଜମି, ସମ୍ପତ୍ତି ଲୋଭରେ ଏପରି କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି । ଏଠାରେ ଆମକୁ ମିଳିଥିବା ଦେବିକା (ପରିବର୍ତ୍ତିତ ନାମ )ଙ୍କ ବୟସ ମାତ୍ର ୧୭ବର୍ଷ । ଯେତେବେଳେ ଗାଁରେ ସଞ୍ଜ ନଇଁଲେ ଝିଅମାନେ ଘରେ ରୁହନ୍ତି, ସେତେବେଳେ ଦେବିକା ସଜବାଜ ହୋଇ ଘର ବାହାରେ ବସନ୍ତି । ଏନେଇ ଦେବିକା କୁହନ୍ତି, "ମୁଁ ମଧ୍ୟ ଗର୍ଭବତୀ ହୋଇଥିଲି । ହେଲେ ଗର୍ଭପାତ କରିଥିଲି ।"

ଯେତେବେଳେ ଆମେ ତାଙ୍କୁ ଏହି କାମ ଛାଡ଼ିବାକୁ କହିଥିଲୁ ସେ କହିଥିଲେ, "ଘରର ସମସ୍ତ ଖର୍ଚ୍ଚ ମୁଁ ବହନ କରେ । ପିତା ନଥିବା ବେଳେ ଘରେ ମାଆ ଅସୁସ୍ଥ । ଆଉ ଭାଇ ମଦ୍ୟପାନ କରେ । ଯଦି ଏହି କାମ କରିବି ନାହିଁ ତେବେ ମୋ ଘର ଚଳିବ କେମିତି ? " ଆଉ ଯେତେବେଳେ ଆମେ କହିଥିଲୁ ପାଠ ପଢି ଚାକିରି ମଧ୍ୟ କରିପାରିବେ । ସେହି ସମୟରେ ଦେବିକା ହସି କହିଥିଲେ, " ଆମ ସମ୍ପ୍ରଦାୟର ଝିଅମାନେ ପାଠ ପଢି ଚାକିରି କରନ୍ତି ନାହିଁ, ବରଂ ଏହି କାର୍ଯ୍ୟ କରନ୍ତି । ମୋର ମଧ୍ୟ ଛୋଟ ବେଳେ ବିବାହ ସ୍ଥିର ହୋଇଥିଲା । ହେଲେ ଏହି ବୃତ୍ତିରେ ଆସିବା ପରେ ଆଉ ବିବାହ ହୋଇପାରିନି ।"

ABOUT THE AUTHOR

...view details