କୋଲକାତା:ପଶ୍ଚିମବଙ୍ଗ କୋଲକାତାର ଏକ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଏଠାରେ ଜଣେ ୪୬ ବର୍ଷୀୟା ମହିଳାଙ୍କ ପେଟରୁ ୪ କେଜିର ଜେଲି ବାହାରିଛି । ଡାକ୍ତରଙ୍କ କହିବା ଅନୁସାରେ, ଉକ୍ତ ମହିଳା ସ୍ୟୁଡୋମାଇଜୋମା ପେରିଟୋନି(Pseudomyxoma Peritonei) ରୋଗରେ ପୀଡିତ ଥିଲେ । ଯାହାକୁ ସାଧାରଣ ଭାଷାରେ ଜେଲି ବେଲି କହନ୍ତି । ଏହି ରୋଗରେ ପୀଡିତ ହୋଇଥିବା ମହିଳାଙ୍କ ନାମ ଚାପ୍ପିୟା ଶେଖ୍ ଏବଂ ଘର ନଦିଆ ଅଞ୍ଚଳରେ । ଦୀର୍ଘଦିନ ଧରି ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ତାଙ୍କୁ ଆଦୌ ଭୋକ ଲାଗୁନଥିଲା । ଖାଦ୍ୟ କମ୍ ଖାଇଲେ ମଧ୍ୟ ପେଟ ଭର୍ତ୍ତି ହେବା ପରି ଲାଗୁଥିଲା । ପେଟରେ ହାତ ରଖିଲେ ଶସ୍ୟ ଭଳି କିଛି ପଦାର୍ଥର ଅନୁଭବ ହେଉଥିଲା ।
ଏହାପରେ ମହିଳାଙ୍କୁ କୋଲକାତା ସ୍ଥିତ ନିଲ୍ ରତନ ସିରକାର(NRS) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଟି ସ୍କାନରୁ ସେ ଏକ ବିରଳ ରୋଗରେ ପୀଡିତ ଥିବାର ଜଣାପଡିଥିଲା । ସର୍ଜରୀ ବିଭାଗର ଡାକ୍ତର ପ୍ରଫେସର ଉପ୍ପଲଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଏନେଇ ଡାକ୍ତର ‘ଇଟିଭି ଭାରତ’କୁ କହିଛନ୍ତି, ଉକ୍ତ ମହିଳା ସ୍ୟୁଡୋମାଇଜୋମା ପେରିଟୋନି ନାମକ ବିରଳ ରୋଗରେ ପୀଡିତ ଥିଲେ । ଯାହାକୁ କି ଜେଲି ବେଲି କୁହାଯାଏ । ସାଧାରଣତଃ ଟ୍ୟୁମର କଠିନ । ମାତ୍ର ଏହି ରୋଗରେ ଏହା ତରଳ ପଦାର୍ଥ ଭଳି ଥାଏ । ଏହିଭଳି ରୋଗ ଆପଣ୍ଡେକ୍ସି ଅଥବା ଗର୍ଭାଶୟରୁ ଆରମ୍ଭ ହୋଇଥାଏ ।