ଲକ୍ଷ୍ନୌ: ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୧୬ ବର୍ଷୀୟ ନାବାଳକ । ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲାର କପ୍ତାନଗଞ୍ଜ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳକ ପୀଡିତାଙ୍କ ପଡୋଶୀ ଅଟେ । ମାସକ ତଳେ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା । ହେଲେ ଗାଁଲୋକେ ପୀଡିତା ପରିବାର ଲୋକଙ୍କ ଉପରେ ଚାପ ପକାଇ ମାମଲାକୁ ରଫଦଫା କରିଦେଇଥିଲେ । ହେଲେ ମାସ ନପୁରୁଣୁ ପୁଣିଥରେ ପଡୋଶୀ ନାବାଳକ ଶିଶୁ ସହ ଦୁଷ୍କର୍ମ କରିଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।
ପୀଡିତା ଶିଶୁକନ୍ୟାର ବାପା କହିଛନ୍ତି, ମାସକ ପୂର୍ବରୁ ଅଭିଯୁକ୍ତ ନାବାଳକ ତାଙ୍କର ୪ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରିଥିଲା । ଗତ ରବିବାର ଦିନ ପୁଣିଥରେ ସେ ଏହି ପାଶବିକ କାଣ୍ଡ ଘଟାଇଥିଲା । ପୀଡିତାର ମାଆ କହିଛନ୍ତି, ତାଙ୍କର ଝିଅ ଘର ଖେଳୁଥିଲା । ଏହି ସମୟରେ ପଡୋଶୀ ଯୁବକ ତାଙ୍କ ଘରକୁ ଆସି ଝିଅକୁ ଚକୋଲେଟ୍ ଦେବା ବାହାନାରେ ସାଙ୍ଗରେ ନେଇଯାଇଥିଲା । ସେହି ସମୟରେ ନାବାଳକର ଘର କେହି ନଥିଲେ । ଏହାର ସୁଯୋଗ ନେଇ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ପୀଡିତା ଶିଶୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପହଞ୍ଚିଥିଲେ । ଏହା ଦେଖି ମାଆର ହୋସ୍ ଉଡିଯାଇଥିଲା ।