ରାଞ୍ଚି:ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କୁ 5 ଶହ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଆସିଥିବା ଏହି ମାମଲାରେ ପକ୍ଷ ନରଖିବା କାରଣରୁ ରାଞ୍ଚିର ସିଭିଲ କୋର୍ଟ 500 ଟଙ୍କା ଜୋରିମାନା ଲଗାଇଛନ୍ତି । ସେହିପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ (ଅଗଷ୍ଟ) 7 ତାରିଖରେ ହେବା ନେଇ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । 2018ରେ ଝାଡଖଣ୍ଡର ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅଭିନେତ୍ରୀ ପଟେଲଙ୍କ ଚେକ୍ ବାଉନ୍ସ ହେବା ପରେ ତାଙ୍କ ବିରୋଧରେ ଏହି ମାମଲା ଦାଖଲ କରିଥିଲେ ।
ଏହି ମାମଲାରେ ଅଭିନେତ୍ରୀ ଅମିଷା କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ ଏଥିରେ ନିରାଶ ହେବାକୁ ପଡିଥିଲା । ମେ’ ପହିଲାରେ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ତଳକୋର୍ଟ ବା ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରି ସେ ଗତମାସ (ଜୁନ) 17 ତାରିଖରେ ରାଞ୍ଚିରେ ସିନିୟର ଡିଭିଜନ୍ ଜଜ୍ ଡି.ଏନ୍ ଶୁକ୍ଲାଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ 10,000 ଟଙ୍କା ମୂଲ୍ୟର ଦୁଇଟି ବଣ୍ଡରେ ଜାମିନ ପ୍ରଦାନ କରିଥିଲେ । ହେଲେ ସେ ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ନହେବା ସହ ତାଙ୍କ ଓକିଲ ମଧ୍ୟ ପଠାଇନଥିଲେ । ଏହି କାରଣରୁ ତାଙ୍କୁ ଆଜି କୋର୍ଟ ଫାଇନ ଲାଗୁ କରିଛନ୍ତି ।