ବେଙ୍ଗାଲୁରୁ:ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛି ଭାରତ । ବିଗତ ବର୍ଷମାନଙ୍କରେ ଏହି ଦେଶ ଦେଖିଛି ଅନେକ ଇଞ୍ଜିନିୟରିଂ ଚମତ୍କାରିତା । ଏଇ ଯେମିତି ସମୁଦ୍ର ଗର୍ଭରେ ତିଆରି ହୋଇଥିବା ଏହି ବ୍ରିଜ୍ । 100ରୁ ଅଧିକ ବର୍ଷ ହେଲା ଏକ ଦ୍ବୀପ ସହ ଭାରତୀୟ ଭୁମିଖଣ୍ଡକୁ ଯୋଡ଼ିବାରେ ସହାୟକ ହେଉଛି ଏହି ବ୍ରିଟିଶ କାଳର ବ୍ରିଜ । ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାମିଲନାଡ଼ୁର ମଣ୍ଡପମ ଓ ତୀର୍ଥଦ୍ବୀପ ରାମେଶ୍ବରମକୁ ଯୋଡ଼ୁଛି ଏହି ରେଳ ବ୍ରିଜ ।
ଆମେରିକାର ଇଂଞ୍ଜିନିୟର ୱିଲିୟମ ଡୋନାଲ୍ଡ ଶେରଜ ଏକ ରୋଲିଂ ଲଫ୍ଟର ଆବିଷ୍କାର କରିଥିଲେ। ଏହାପରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ଏଭଳି ଏକ ବ୍ରିଜ ତିଆରି କରିବାକୁ ଆଇଡିଆ ମିଳିଥିଲା । ପାକ୍ ଖାଡ଼ି ଓ ମନ୍ନାର ଖାଡି଼କୁ ଯୋଡ଼ୁଥିବା ମଧ୍ୟ ଚ୍ୟାନେଲରେ ଜଳସ୍ତର ଅଧିକ ରହିଛି । ଏଥିପାଇଁ ବ୍ରିଜରେ ବ୍ୟବାହାର ହୋଇଛି ଦୁଇଟି ସ୍ପେନ୍, ଯାହାର ଓଜନ 457 ଟନ । ବ୍ରିଜ ତଳ ଦେଇ ଜାହାଜ ଯିବା ବେଳେ ଏହି ଦୁଇଟି ସ୍ପେନକୁ ଉଠାଯାଏ । ଏହି ସ୍ପେନ ଗିୟର ବୁଲାଇବା ପାଇଁ ନିୟୋଜିତ ହୁଅନ୍ତି 8 ଜଣ ରେଳକର୍ମୀ । ଜାହାଜ ବ୍ରିଜ ଅତିକ୍ରମ କରିବା ପରେ ସ୍ପେନ ପୁନଃ ତଳକୁ କରି ଦିଆଯାଏ ।
1964 ମସିହା ପର୍ଯ୍ୟନ୍ତ ବୋଟ ମେଲ ବା ଇଣ୍ଡେନ-ସିଲେନ ଏକ୍ସପ୍ରେସ ଏହି ବ୍ରିଜରେ ଚଳାଚଳ କରୁଥିଲା । ଚେନ୍ନାଇ ଓ ଶ୍ରୀଲଙ୍କାର ତଲାଇମନ୍ନାକୁ ଯୋଡ଼ୁଥିଲା ଏହି ଟ୍ରେନ । ଏହି ଟ୍ରେନ ଯାତ୍ରୀଙ୍କୁ ଧନୁଷକୋଡି ପର୍ଯ୍ୟନ୍ତ ନେଇ ଯାଉଥିଲା । ଏହାପରେ ଏକ ଷ୍ଟିମରରେ ଯାତ୍ରୀ ତଲାଇମନ୍ନାର ଯାଉଥିଲେ।
ଭାରତ ଓ ଶ୍ରୀଲଙ୍କାକୁ ଯୋଡ଼ୁଥିବା ଏକ ଟ୍ରେନଲାଇନର ଅଂଶ ଥିଲା ଏହି ବ୍ରିଜ । ଚେନ୍ନାଇ ଓ ତଲାଇମନ୍ନାର ମଧ୍ୟରେ ବୋଟମେଲ ଯାତ୍ରା ସମ୍ଭବ ହେଉଥିଲା । ଥାଇଲାଣ୍ଡର କ୍ବାଇ ନଦୀ ଉପରେ ଡେଥ୍ ରେଲୱେ ବ୍ରିଜକୁ ସଂରକ୍ଷିତ କରାଯାଇଛି । ବର୍ତ୍ତମାନ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ପମ୍ବନ ବ୍ରିଜକୁ ମଧ୍ୟ ସେହି ପ୍ରକ୍ରିୟାରେ ସଂରକ୍ଷିତ ରଖିବା ସହ ଉପଯୋଗ କରାଯାଉଛି।