ନୂଆଦିଲ୍ଲୀ:ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ । ସରଗରମ ହେଉଛି ରାଜ୍ୟ ରାଜନୀତି । ଉଠୁଛି ପଡୁଛି ପ୍ରଚାର ମୈଦାନ । ଏହାରି ମଧ୍ୟରେ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି 'ରାମ' । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଆରମ୍ଭ ହୋଇଥିବା ମହାସଂଗ୍ରାମ ଦିନକୁ ଦିନ ବଢିଚାଲିଛି । ଗୋଟିଏ ପକ୍ଷେ ରାମ ନାମ ଶୁଣିଲା କ୍ଷଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମକୁ ଉଠିଯାଉଥିବା ବେଳେ ଏପଟେ ଜୟ ଶ୍ରୀରାମ ନାରା ଦେଇ ନିର୍ବାଚନୀ ମୈଦାନରେ ଜୋରଶୋରରେ ପ୍ରଚାର ଚଳାଇଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପୂର୍ବରୁ ଟିଭି ପରଦାର ରାମ ତଥା ଅଭିନେତା ଅରୁଣ ଗୋଭିଲଙ୍କ ବିଜେପିରେ ଯୋଗଦାନ ଦୋହଲାଇ ଦେଇଛି ତୃଣମୂଳ କଂଗ୍ରେସର ଗଡ ।
ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ଅରୁଣ ଗୋଭିଲ ଭାରତୀୟ ଜନତା ପାର୍ଟିରେ ହୋଇଛନ୍ତି ସାମିଲ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପଦ୍ମ ଧରିଛନ୍ତି ଅରୁଣ । ଆଉ ଅରୁଣକୁ ଦଳରେ ପଦ୍ମ ଶିବିରରେ ସାମିଲ କରାଇ ବଙ୍ଗ ରଣଭୂମିରେ ବଡ ଗୋଟିଚାଳନା କରିବାକୁ ଯାଉଛି ବିଜେପି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଷ୍ଟାର କ୍ୟାମ୍ପନର ଭାବରେ ଧୁଆଁଧାର ପ୍ରଚାର କରିବେ ଅରୁଣ ଗୋଭିଲ । କୁହାଯାଉଛି କି ଅରୁଣ ରାଜ୍ୟରେ ପାଖାପାଖି 100ରୁ ଉର୍ଦ୍ଧ୍ବ ରାଲିକୁ କରିପାରନ୍ତି ସମ୍ବୋଧିତ । ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିରେ ସାମିଲ ହେବା ଘଟଣା ଦଳ ପାଇଁ ବେଶ ମହତ୍ବ ରଖୁଛି । ଖାସକରି ବିଜେପିର ଫୋକସରେ ଥିବା ପଶ୍ଚିମବଙ୍ଗକୁ ଜଦି ବିଚାରକୁ ଅଣାଯାଏ, ତେବେ କିଛି ଦିନରୁ ରାଜ୍ୟରେ ଜୟ ଶ୍ରୀରାମର ନାରାକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ରିଲ ଜଗତର ରାମଙ୍କ ରାଜନୀତିରେ ଏଣ୍ଟ୍ରି ପଶ୍ଚିମବଙ୍ଗ ରଣର ରୋଚକତାକୁ ଆହୁରି ବଢାଇଦେଇଛି ।
ରାମାୟଣରେ ରାମ ଚରିତ୍ରରେ ଆସିଥିଲେ ଅରୁଣ
ଅରୁଣ ଗୋଭିଲ ଏପରି ଜଣେ ଅଭିନେତା ଯିଏ 90 ଦଶକର ଟେଲିଭିଜ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଭୂମିକା ଅର୍ଜନ କରି ଘରେ ଘରେ ହୋଇଥିଲେ ପରିଚିତ । ରାମାନନ୍ଦ ସାଗରଙ୍କ 90 ଦଶକରେ ପ୍ରସାରିତ ରାମାୟଣର ଛବି ଆଜି ବି ଲୋକଙ୍କ ମନରେ ସତେଜ ରହିଛି । ଏହି ପୌରାଣିକ କଥାବସ୍ତୁ ଧାରାବାହିକରେ ଅରୁଣ ଗୋଭିଲ ରାମ ଚରିତ୍ରରେ ଅଭିନୟ କରି ବେଶ ଚର୍ଚ୍ଚା ସାଉଁଟିଥିଲେ ।