ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଉତ୍ତର ପ୍ରଦେଶରେ ଡ୍ରାଏ ଡେ’, ସ୍କୁଲ-କଲେଜ ବନ୍ଦ

Ram Mandir: ପ୍ରତିଷ୍ଠା ଉତ୍ସବରେ ଉତ୍ତର ପ୍ରଦେଶରେ ମଦ ଦୋକାନ ବନ୍ଦ । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଯୋଗୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 9, 2024, 9:48 PM IST

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଉତ୍ତର ପ୍ରଦେଶରେ ଡ୍ରାଏ ଡେ’, ସ୍କୁଲ-କଲେଜ ବନ୍ଦ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଉତ୍ତର ପ୍ରଦେଶରେ ଡ୍ରାଏ ଡେ’, ସ୍କୁଲ-କଲେଜ ବନ୍ଦ

ଲକ୍ଷ୍ନୌ:22 ରେ ଅଯୋଧ୍ୟାରେ ହେବାକୁ ଯାଉଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିଷ୍ଠା ଉତ୍ସବ ଦିନ ସମଗ୍ର ରାଜ୍ୟରେ ଡ୍ରାଏ ଡେ’ ଘୋଷଣା କରିଛନ୍ତି ଯୋଗୀ ସରକାର । ରାଜ୍ଯରେ ସମସ୍ତ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖାଯିବ । ସେହିପରି ରାଜ୍ୟରେ ସମସ୍ତ ସ୍କୁଲ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରି ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହା ପରେ ସେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ସହ ମଧ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ମକର ସଂକ୍ରାନ୍ତି ପରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରାକ ବିଧି ଆରମ୍ଭ ହୋଇଯିବ । ମନ୍ଦିର ନିକଟରେ ସୁରକ୍ଷା ଓ ଅନ୍ୟ ସମସ୍ତ ବିଧି ପାଇଁ ଟ୍ରଷ୍ଟକୁ ସହଯୋଗ କରିବା ପାଇଁ ମୁଖ୍ଯମନ୍ତ୍ରୀ ଯୋଗୀ ଅଯୋଧ୍ୟା ନଗର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ଅଯୋଧ୍ୟାରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମଗ୍ର ସହର ସୁରକ୍ଷା ବଳ ଓ ସିସିଟିଭି ଆଢୁଆଳରେ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ଦେଶରୁ ବହୁ ମାନ୍ୟଗଣ ଅତିଥି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି । ନିମନ୍ତ୍ରିତ ଅତିଥିମାନେ ହାତରେ ନିମନ୍ତ୍ରଣ କାର୍ଡ ଧରି କାର୍ଯ୍ୟକ୍ରମ ସ୍ଥଳକୁ ଯିବେ ।

ତେବେ ଏହି କାର୍ଯ୍ୟକ୍ରମକୁ ଭବ୍ୟ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଅଯୋଧ୍ୟା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । କିଛି ବିଶିଷ୍ଟ ଅତିଥିଙ୍କ ପାଇଁ ଅଗ୍ରୀମ ରହଣି ବ୍ୟବସ୍ଥା ମଧ୍ୟ କରାଯାଉଛି । କିଛି ଅତିଥି ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିପାରନ୍ତି । ସେମାନଙ୍କୁ ଆବଶ୍ୟକ ସ୍ଥଳେ ପ୍ରଶାସନ ସହଯୋଗ କରିବ । ଦେଶର ବିଭିନ୍ନ ପ୍ରାନ୍ତ ସହ ବିଶ୍ବର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରୁଥିବା କାରଣରୁ ଅଯୋଧ୍ୟାରେ ବହୁଭାଷୀ ସୂଚନା ଫଳକ ମଧ୍ୟ ସ୍ଥାପନ କରାଯିବ । ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ସମସ୍ତ ଭାରତୀୟ ଭାଷା ସହ ଜାତିସଂଘର 6 ଅନୁମୋଦିତ ଭାଷା ଆଧାରରେ ସହରରେ ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା ପ୍ରଶାସନ କରୁଛି ।

ଏହା ମଧ୍ୟ ପଢନ୍ତୁ :- ‘ରାମ ମନ୍ଦିର ଭାରତର ରାଷ୍ଟ୍ର ମନ୍ଦିର’: ସାଂସ୍କୃତିକ, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ପ୍ରତୀକ କହିଲେ ଯୋଗୀ

ଅଯୋଧ୍ୟାରେ ମହିର୍ଷୀ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ସହ ଲୋକାର୍ପିତ ମଧ୍ୟ ହୋଇସାରିଛି । ଏହା ସହ ଅଯୋଧ୍ୟା ଷ୍ଟେସନର ନାମ ‘ଅଯୋଧ୍ୟା ଧାମ’ ଭାବେ ପୁନଃନାମିତ କରାଯାଇଛି । ପୁରା ସହରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରାମାୟଣ କଥାବସ୍ତୁ ପ୍ରଦର୍ଶନୀ ଉପରେ ଗୁରୁତ୍ବାରୋପ କରାଯାଉଛି । ସହରର ପରିମଳ, ଟ୍ରାଫିକ ବ୍ୟବସ୍ଥା ପାଇଁ ମଧ୍ଯ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଅତିଥିଙ୍କୁ ପୁରାଣରେ ବର୍ଣ୍ଣିତ ରାମରାଜ୍ୟର ଅନୁଭବ ଦେବା ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରୟାସ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details