ଅଯୋଧ୍ୟା:ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ଉତ୍ତରପ୍ରଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମନ୍ଦିରରେ ଜାରି ରହିଛି ପୂଜାର୍ଚ୍ଚନା । ପୂଜା, ସଂକୀର୍ତ୍ତନ ଓ ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା । ଆଜି ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କୁ ସ୍ଥାପନ କରାଯିବ । ଏଥିପାଇଁ ପ୍ରଥମେ ମନ୍ଦିରରେ ଭଗବାନ ରାମଲାଲାଙ୍କ ବିଗ୍ରହ ପ୍ରବେଶ କରିଛି । ଏହି ସମୟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ଏକ ଟ୍ରକରେ ରାମଲାଲାଙ୍କ ବିଗ୍ରହ ମନ୍ଦିର ପରିସରକୁ ନିଆଯାଇଥିଲା । ପରେ ଏକ ବଡ଼ କ୍ରେନ ସହାୟତାରେ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଥିଲା ।
ଆସନ୍ତା ସୋମବାର(ଜାନୁଆରୀ 22) ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଗତ ମଙ୍ଗଳବାର ଠାରୁ ଧାର୍ମିକ ରୀତିନୀତି ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ରାମଲାଲଙ୍କ ମୂର୍ତ୍ତି ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ । ଏଥିପାଇଁ ବୁଧବାର ସ୍ବତନ୍ତ୍ର ପୂଜାବିଧି କରାଯାଇ ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହ ମନ୍ଦିର ମଧ୍ୟକୁ ନିଆଯାଇଛି । ବୁଧବାର ସନ୍ଧ୍ୟା ସାଢେ 7ଟା ସମୟରେ ଭଗବାନ ଶ୍ରୀରାମଙ୍କ ପ୍ରତିମା ବିବେକ ସୃଷ୍ଟି ଆଶ୍ରମରୁ ରାମ ଜନ୍ମଭୂମି କମ୍ପ୍ଲେକ୍ସକୁ ଅଣାଯାଇଥିଲା । ରାମଲାଲଙ୍କ ବିଗ୍ରହକୁ ଏକ ପଲିଥିନ ଦ୍ବାରା ଆବୃତ କରାଯାଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଳମ୍ବିତ ରାତିରେ ବିଗ୍ରହ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା ।