ନୂଆଦିଲ୍ଲୀ:ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦ ମୌସୁମୀ ଅଧିବେଶନର ଆଜି ତ୍ରୟୋଦଶ ଦିବସ । ଅଧିବେଶନ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନରେ ଆଶା ଜନକ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଉଭୟ ସଦନରେ ହୋଇପାରି ନାହିଁ । ଗୋଟିଏ ପଟେ ସଂସଦ ଅଚଳ । ଅନ୍ୟପଟେ କରଦାତାଙ୍କ ଅର୍ଥ ଅପଚୟକୁ ଦେଶବାସୀ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ବିରୋଧୀ ସରକାର ନିଜ ନିଜ ଜିଦରେ ଅଟଳ ଥିବାରୁ ସ୍ଥିତି ଏଭଳି ଉତ୍ପନ୍ନ ହୋଇଛି ।
ଆଜି (ବୁଧବାର) ମଧ୍ୟ ସଂସଦ ସ୍ବାଭାବିକ ହେବ ନା ପୁଣି ଧୋଇଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ରାଜ୍ୟସଭାରେ ଫେରିପାରେ ସ୍ବାଭାବିକ ସ୍ଥିତି । ଗତକାଲି ବସିଥିବା ବିଜନେସ ଆଡଭାଇଜରୀ କାଉନସେଲିଂ(BAC) ବୈଠକରେ ରାଜ୍ୟସଭାରେ ଅଚଳାବସ୍ଥା ଦୂର ପାଇଁ ଶାସକ- ବିରୋଧୀ ସାଂସଦଙ୍କ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ସେହି ଅନୁସାରେ ଆଜି ପାଇଁ ୭ ଟି ବିଲ ଆଗତ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମୟ ମଧ୍ୟ ଆବଣ୍ଟିତ ହୋଇଛି । ତେବେ ଉଚ୍ଚ ସଦନ କେତେ ସ୍ବାଭାବିକ ହେଉଛି ତାହା ଉପରେ ଏହି ବିଲର ଭାଗ୍ୟ ନିର୍ଭର କରୁଛି ।