ହାଇଦ୍ରାବାଦ: ଆଜି 4 ଟି ରାଜ୍ୟର 16 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ଏହି ସମସ୍ତ ଆସନ ଗୁଡିକରେ କଡା ମୁକାବିଲା ହୋଇଥିଲା । କାରଣ ଆସନ ସଂଖ୍ୟା ଦୃଷ୍ଟିରୁ ଅଧିକ ପ୍ରାର୍ଥୀ ଥିଲେ ସମସ୍ତ ରାଜ୍ୟରେ । ଫଳରେ ମୁକାବିଲା କାଣ୍ଟେ କି ଟକ୍କର ଥିଲା । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଓ କର୍ଣ୍ଣାଟକର ଫଳାଫଳ ଆସି ସାରିଥିବା ବେଳେ, ମହାରାଷ୍ଟ୍ର ଓ ହରିୟାଣରେ ବିବାଦ ବଢିବାରୁ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ଆସିପାରେ ।
ରାଜସ୍ଥାନର 4ଟି ଆସନରୁ 3 ଟି ଆସନ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ, ଗୋଟିଏ ଆସନ ବିଜେପି ଖାତାକୁ ଯାଇଛି । ବିଜେପି ସମର୍ଥିତ ପ୍ରାର୍ଥି ତଥା ବିଶିଷ୍ଟ ଶିଳ୍ପପତି ସୁବାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି । କଂଗ୍ରେସର ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ, ଓ ପ୍ରମୋଦ ତିୱାରୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀ ମଧ୍ୟ ବିଜୟୀ ହୋଇଛନ୍ତି । କିନ୍ତୁ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥି ସୁବାସ ଚନ୍ଦ୍ରା ପରାଜିତ ହେବା ସହ ତାଙ୍କୁ 30 ଖଣ୍ଡ ଭୋଟ ମିଳିଛି ।
କଂଗ୍ରେସ ନିଜ ରଣନୀତିକୁ ସଠିକ ସାବ୍ୟସ୍ତ କରିଥିବା ବେଳେ 3 ଟି ଆସନ ଦଖଲ କରିବାରେ ସଫଳ ହୋଇଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପୁରା ଦମରେ ଏବେ ବିଜେପିକୁ ଆକ୍ରମଣ କରିବାକୁ ଅଣ୍ଟା ଭିଡିଛି । ଏନେଇ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି, କଂଗ୍ରେସର ବିଜୟ ଲୋକତନ୍ତ୍ରର ବିଜୟ । ଆଗାମୀ 2023 ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ହାରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ସେହିପରି ରାଜସ୍ଥାନ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସଚ୍ଚିନ ପାଇଲଟ ମଧ୍ୟ 3 ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇ ବିଜେପି ଉପରେ ବର୍ଷିଛନ୍ତି ।