ନୂଆଦିଲ୍ଲୀ:ରାଜ୍ୟସଭାରେ ଆଗତ ହେଲା ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଏହାକୁ ଆଗତ କରିବା ପରେ ବିଲକୁ ନେଇ ଚର୍ଚ୍ଚା ଜାରି ରହିଛି । ଗତ ସପ୍ତାହରେ ଏହି ବିଲ ଲୋକସଭାରେ ପାରିତ ହୋଇସାରିଛି । ଆଜି ଏହାକୁ ଉଚ୍ଚସଦନରେ ମଧ୍ୟ ଆଗତ କରାଯାଇଛି ।
ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଚର୍ଚ୍ଚାରେ ଅଂଶଗ୍ରହଣ କରି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ଆଇନକୁ ଅଗଣତାନ୍ତ୍ରିକ କହିବା ସହ ଏହାକୁ ଗୃହରେ ପାରିତ କରାଇନଦେବା ପାଇଁ ବିବେକ ଅନୁସାରେ ରାଜନୈତିକ ଦଳମାନେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଚଢା । ସେହିପରି ପୂର୍ବରୁ ଭାରତୀୟ ଜନତା ପାର୍ଟି ସରକାରରେ ରାଜଧାନୀ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦେବା ପାଇଁ ହୋଇଥିବା ଇସ୍ତାହାରକୁ ମଧ୍ୟ ଚଢା ଗୃହରେ ମନେ ପକାଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦେବା ସପକ୍ଷରେ ଥିଲେ ଓ ଇସ୍ତାହାରରେ ଘୋଷଣା ମଧ୍ୟ କରିଥିବା ସାଂସଦ ଚଢା କହିଥିଲେ । ବର୍ତ୍ତମାନର ସରକାର ତାହା ମନେ ପକାଇବା ଉଚିତ । ନେହେରୁବାଦୀ ନହୋଇ ଅଟଳବାଦୀ ହୁଅ ବୋଲି କହିଥିଲେ ରାଘବ । ଚର୍ଚ୍ଚାରେ ଅଂଶଗ୍ରହଣ କରି କଂଗ୍ରେସର ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭି ମଧ୍ୟ ଏହି ବିଲ୍କୁ ବିରୋଧ କରିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଲଙ୍ଘନ । କେନ୍ଦ୍ର ସରକାର ଯେକୌଣସି ପ୍ରକାର ଦିଲ୍ଲୀକୁ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ସିଙ୍ଗଭୀ ।