ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନର ପ୍ରଥମ ସପ୍ତାହରେ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ଶତ ପ୍ରତିଶତ ପ୍ରଡକ୍ଟଭିଟି ରେକର୍ଡ ହୋଇଛି । ପ୍ରଥମ ସପ୍ତାହରେ କୌଣସି ଦିନ ଗୃହ ମୁଲତବୀ ନହୋଇ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ରହିଥିବାରୁ ଗୃହରେ ଉତ୍ପାଦକତା (ପ୍ରଡକ୍ଟଭିଟି) ପୂର୍ଣ୍ଣ ମାତ୍ରା ତଥା ଶତ ପ୍ରତିଶତ ରହିଛି । ସଦସ୍ୟମାନଙ୍କ ସହଯୋଗ ଓ ଶାନ୍ତି ବଜାୟ ରଖି ଗୃହକାର୍ଯ୍ୟ ଜାରି ରଖିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଏପରି ସହଯୋଗ ଅଧିବେଶନ ଶେଷ ଯାଏ ଜାରି ରଖିବାକୁ ଅନୁରୋଧ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।
ଗତ ସପ୍ତାହରେ ଜାନୁଆରୀ (୩୧ ତାରିଖରେ) ମିଳିତ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଆରମ୍ଭ ହୋଇଥିଲା ଅଧିବେଶନ । ରାଷ୍ଟ୍ରପତିଙ୍କ ସମ୍ବୋଧନ ଧନ୍ୟବାଦ ପ୍ରସ୍ତାବରେ ଉପରେ ଉଚ୍ଚସଦନ ରାଜ୍ୟସଭାରେ ୭ ଘଣ୍ଟା ୪୧ ମିନିଟ ଆଲୋଚନା ହୋଇଥିଲା । ଏଥିରେ ୨୬ ସଂସଦ ଅଂଶଗ୍ରହଣ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ୧୨ ଘଣ୍ଟା ଚାଲିବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ଅବଶିଷ୍ଟ ସମୟ ଚଳିତ ସପ୍ତାହରେ ଜାରି ରହିବ । ଯେଉଁଥିରେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଉତ୍ତର ମଧ୍ୟ ରହିଛି ।