ଚଣ୍ଡିଗଡ:ଆସନ୍ତାବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ଜି-20 ସମ୍ମିଳନୀର ଲୋଗକୁ ନେଇ ବିବାଦ (G 20 logo controversy)ଓ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋଗକୁ ଉନ୍ମୋଚନ କରିଥିବା ବେଳେ ସେଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନୀ ସଙ୍କେତ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି (ରବିବାର) କଡା ଟିପ୍ପଣୀ ରଖିଛନ୍ତି (Rajnath Singh on controversy around G20 logo) । ଦଳୀୟ ଚିହ୍ନ ପଦ୍ମ ହୋଇଥିବା କାରଣରୁ ଆମେ ଦେଶର ସଂସ୍କୃତିକୁ ଭୁଲିଯିବା ଉଚିତ କି ? ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି ।
ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ରାଜନାଥ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ‘‘ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ଜି-20 ସମ୍ମିଳନୀର ଲୋଗୋକୁ ବିରୋଧୀ ଆପତ୍ତି ଉଠାଉଛନ୍ତି । ସେଥିରେ ପଦ୍ମ ଫୁଲକୁ ସ୍ଥାନ ମିଳିଛି । ଏହା ବିଜେପିର ଚିହ୍ନ ବୋଲି ସେମାନେ କହୁଛନ୍ତି । କ’ଣ ଆମେ ଆମ ସଂସ୍କୃତିକୁ ଭୁଲିଯିବା ଉଚିତ କି ! । ପଦ୍ମ ଭାରତର ଜାତୀୟ ଫୁଲ । 1950 ମସିହାରେ ଦେଶର ଜାତୀୟ ଫୁଲ ଭାବେ ପଦ୍ମ ଘୋଷଣା ମଧ୍ୟ ହୋଇଛି । ଏହା ଆମ ଭାରତୀୟ ସଂସ୍କୃତିର ଏକ ଚିହ୍ନ ମଧ୍ୟ । 1857ରେ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢିଥିବା ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନେ ଗୋଟିଏ ହାତରେ ରୁଟି ଓ ଅନ୍ୟ ହାତରେ ପଦ୍ମ ଧରି ସ୍ବାଧୀନତା ପାଇଁ ଆନ୍ଦୋଳନ କରିଥିଲେ ।’’