ନୂଆଦିଲ୍ଲୀ: ଆଜି 26ତମ 'ହୁନର ହାଟ' ମେଳାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରୋନାର ଘଡ଼ିସନ୍ଧି ସମୟରେ ଆମର କଳାକାର ଓ କାରିଗର ତାଙ୍କ ହାତ ତିଆରି ଜିନିଷ ମଧ୍ୟମରେ ନୂଆ ଆଶା ସଞ୍ଚାର କରିବେ ବୋଲି କହିଛନ୍ତି ରାଜନାଥ ସିଂ ।
ଏହି ହୁନର ହାଟ ମେଳା ଜାତୀୟ ରାଜଧାନୀର ଜବାହାରଲାଲ ଷ୍ଟାଡିୟମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଛି । ଆୟୋଜିତ ଏହି ସୁନ୍ଦର ପ୍ରଦର୍ଶନୀ ଆମ ପାରମ୍ପରିକ କଳା ଓ ହସ୍ତଶିଳ୍ପକୁ ଆହୁରୀ ପ୍ରସିଦ୍ଧ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ ଆହୁରୀ କହିଛନ୍ତି ମୁଁ ଏହି 26ତମ ହୁନର ହାଟ ମେଳାକୁ ଉଦଘାଟନ କରି ବହୁତ ଖୁସି । ସାରା ଦେଶରେ ସ୍ବଦେଶୀ କଳାକାରଙ୍କୁ ଏକଜୁଟ କରି ରଖିବ ଏହି ମେଳା ।
26ତମ 'ହୁନର ହାଟ' କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି' ଭୋକାଲ୍ ଫର୍ ଲୋକାଲ୍' । ଏହା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 1 ପର୍ଯ୍ୟନ୍ତ ଜାରି ରହିବ । ଏଥିରେ 600ରୁ ଅଧିକ କାରିଗର ସାମିଲ ହେବେ । ଯେଉଁଥିରେ 31ରୁ ଅଧିକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା କାରିଗର ଅଂଶଗ୍ରହଣ କରିବେ । ମେଳାରେ ପ୍ରଦର୍ଶିତ ହୋଇଥିବା ହସ୍ତଶିଳ୍ପ କାରୀଗରଙ୍କୁ ପ୍ରଶଂସା କରିଛନ୍ତି ରାଜନାଥ ସିଂ ।