କେନ୍ଦ୍ରାପଡା: ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି । ଏ ବାବଦୀୟ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଟଙ୍କାଟିଏ ସରକାରୀ ସାହାଯ୍ୟ ବିନା ନିଜ ମୂଲ ପଇସାରେ ନିଜ ଘରର ଶିଶୁଟିକୁ ପାଳିବା ପରି ଗଛକୁ ଭଲ ପାଇଛନ୍ତି ସେ । ଯେଉଁଥିପାଇଁ ତାଙ୍କୁ କିଏ ଗଛ ବାଇଆ ତ ଆଉ କିଏ ଗଛରାଜ କୁହନ୍ତି ।
ଦୁଇପଟ ଖୋଲାମେଲା ଘର, ଘର ଭିତରୁ ଉଭୟ ସୂର୍ଯ୍ୟ ଆଉ ଚନ୍ଦ୍ର ଦିଶୁଛନ୍ତି । ସମ୍ବଳ ଆଉ ସଞ୍ଚୟ କହିଲେ କିଛି ନାହିଁ, ହେଲେ ରହିଛି ଏକ ନିଆରା ନିଶା, ଆଉ ତାହା ହେଉଛି ଗଛ ଲଗାଇବାର ନିଶା । ଏଭଳି ଏକ ନିଆରା ଚରିତ୍ରର ମଣିଷ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତ ଅନ୍ତର୍ଗତ ମାଳପାଟଣା ଗାଁର ରାଜେନ୍ଦ୍ର ଲେଙ୍କା ଓରଫ ଟେରୁ । ବେଶଭୂଷାରୁ ପାଗଳ ଭଳି ଦିଶୁଥିବା ଏହି ନିଆରା ମଣିଷଙ୍କର ପେଶା ହେଉଛି ମୂଲ ଲାଗିବା ଆଉ ଚାଷ କରିବା । 2012 ମସିହାରୁ ରାଜେନ୍ଦ୍ର ଏଭଳି ଅନ୍ୟୁନ 10 ହଜାରରୁ ଊର୍ଦ୍ଧ୍ବ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି । ଛୋଟ ଛୋଟ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ ସହ ପରିବାରର ଶିଶୁ ଲାଳନ ପାଳନ କରି ଗ୍ରାମ୍ୟ ଶ୍ମଶାନର ଶେଷ ଆଡକୁ ନିଜେ ସୃଷ୍ଟି କରିଥିବା ଜଙ୍ଗଲରେ ଆନମନା ହୋଇଯାଆନ୍ତି ସେ ।
ଗଛ ଲଗାଇବା ସମୟରେ ଗଛରେ ପାଣି ଦେବା ଓ ମୂଳରେ ମାଟି ଦେବା ଆବଶ୍ୟକ ହୋଇପଡିବାରୁ ଅନତି ଦୂରରେ ଗୋଟିଏ ପୋଖରୀ ମଧ୍ୟ ନିଜେ ଖୋଳିଥିବା କୁହନ୍ତି ରାଜେନ୍ଦ୍ର ଓ ଗ୍ରାମବାସୀ । ରାଜେନ୍ଦ୍ରଙ୍କ ମତରେ, ଗୋଟିଏ ମଣିଷ ପାଇଁ ଗୋଟିଏ ଗଛର ଆବଶ୍ୟକତା ରହିଛି ଏବଂ ଏହି ଗଛ ଲଗାଇବା ଦ୍ୱାରା ଅମ୍ଳଜାନର ଅଭାବ ରହେନାହିଁ । ଅନ୍ୟପଟେ ଗଛ ଲଗାଇବା ଦ୍ୱାରା ‘ଶିବଲୋକ’ରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ସେ ଗଛ ଲଗାଉଥିବା କହିଛନ୍ତି । ତାଙ୍କର ଗଛ ପ୍ରତି ଏଭଳି ପାଗଳପଣ ଦେଖି କେହିକେହି ତାଙ୍କୁ ଗଛବାଇଆ ଆଉ ଏତେଗୁଡିଏ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ପାରିଥିବାରୁ ତାଙ୍କୁ କେହିକେହି ଗଛରାଜ ବୋଲି କୁହନ୍ତି । ରାଜେନ୍ଦ୍ରଙ୍କ ଗଛପ୍ରତି ଥିବା ପାଗଳାମୀ ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ତେଲେଙ୍ଗାନାରେ ଦାଦନ ଖଟୁଛନ୍ତି । ପାଖରେ କେବଳ ପୁଅଟେ ରହିଛି ଏବଂ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି ।