ଓଡିଶା

odisha

By ETV Bharat Odisha Team

Published : Nov 25, 2023, 10:25 PM IST

Updated : Nov 25, 2023, 10:57 PM IST

ETV Bharat / bharat

ରାଜସ୍ଥାନରେ 69 ପ୍ରତିଶତ ସହ ସରିଲା ମତଦାନ, 3 ତାରିଖକୁ ଅପେକ୍ଷା

ରାଜସ୍ଥାନରେ 69 ପ୍ରତିଶତ ଭୋଟିଂ ସହ ସରିଲା ମତଦାନ । 199 ଆସନରେ ହେଲା ଭୋଟିଂ । ଅନ୍ୟ ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ମତଦାନ ବାତିଲ । ଅଧିକ ପଢନ୍ତୁ

69 ପ୍ରତିଶତ ଭୋଟିଂ ସହ ରାଜସ୍ଥାନରେ ସରିଲା ମତଦାନ
69 ପ୍ରତିଶତ ଭୋଟିଂ ସହ ରାଜସ୍ଥାନରେ ସରିଲା ମତଦାନ

ଜୟପୁର:ଆଜି ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ଶେଷ ହୋଇଛି । ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା 6 ଟାରେ ଶେଷ ହୋଇଥିଲା । ରାଜ୍ୟରେ ସାମଗ୍ରୀକ ଭୋଟିଂ ହାର 69% ରେକର୍ଡ ହୋଇଛି । ମୋଟ 200 ଆସନ ମଧ୍ୟରୁ 199ରେ ଭୋଟିଂ ହୋଇଥିଲା । କରନପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ସ୍ଥାନୀୟ ବିଧାୟକ ଗୁରୁମିତ ସିଂ କୁନାରଙ୍କ ଦେହାନ୍ତ କାରଣରୁ ମତଦାନ ବାତିଲ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ସକାଳେ ପ୍ରଥମେ ମକ ଭୋଟିଂ ଶେଷ ହେବା ପରେ ରାଜ୍ୟର ମୋଟ 51,000 ମତଦାନ କେନ୍ଦ୍ରରେ ସକାଳ 7ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଥିଲା । 2018ରେ ରାଜ୍ୟରେ ସାମଗ୍ରିକ ଭୋଟିଂ ହାର 74.06 % ରେକର୍ଡ ହୋଇଥିଲା । ଚଳିତ ଥର ଏହି ହାର 69 %କୁ ବୃଦ୍ଧି ପାଇଛି । ରାଜସ୍ଥାନ ଭୋଟରଙ୍କ ମଧ୍ୟରେ ମତଦାନ ସାବ୍ୟସ୍ତ କରିବା ପାଇଁ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ସଂଧ୍ୟା 7 ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମ ଓ ବାଲାଟ ବକ୍ସକୁ କଡା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମକୁ ପଠାଯାଇଛି ।

ଆଜି 199 ଆସନରେ ମୋଟ 1,862 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଛି । ଜିଲ୍ଲାଓ୍ବାରୀ ଭୋଟିଂ ପ୍ରତିଶତରେ ଜୈୟସେଲମର ଆଗରେ ରହିଛି । ଏହା ପଛକୁ ହନୁମାନଗଡ ଓ ଢୋଲପୁର ଜିଲ୍ଲା କ୍ରାମନ୍ବୟରେ 2ୟ ଓ 3ୟ ସ୍ଥାନରେ ରହିଛି । ପ୍ରାର୍ଥୀଙ୍କ ମଧ୍ୟରେ 7 ଜଣ ସାଂସଦ ମଧ୍ୟ ରହିଛନ୍ତି । ବିଧାନସଭା ନିର୍ବାଚନ ଲଢୁଥିବା ସମସ୍ତ ସାଂସଦ ଭାରତୀୟ ଜନତା ପାର୍ଟିରୁ ରହିଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, ସାଂସଦ କିରୋଡୀ ଲାଲ ମୀନା, ଦିୟା କୁମାରୀ ପ୍ରମୁଖ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଭୋଟ୍ ଦେଉଛି ରାଜସ୍ଥାନ: 199 ବିଧାନସଭା ଆସନରେ ମତଦାନ ଜାରି

ମଇଦାନରେ ବିଜେପି, କଂଗ୍ରେସ, ସିପିଏମ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆମ ଆଦମୀ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଦେଇଛନ୍ତି । ଶାସନରେ ଥିବା କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି । କଂଗ୍ରେସ ଶାସନ ବଜାଇ ରଖିବାକୁ ଆଶାବାଦୀ ଥିବା ବେଳେ ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ଡିସେମ୍ବର 3 ତାରିଖରେ ବିଧାନସଭା ନିର୍ବାଚନ ହେଉଥିବା ସମସ୍ତ 5 ରାଜ୍ୟରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ ।

ଏବେ ସୁଦ୍ଧା ଛତିଶଗଡ, ମଧ୍ୟ ପ୍ରଦେଶ, ମିଜୋରାମ ଓ ରାଜସ୍ଥାନରେ ମତଦାନ ଶେଷ ହୋଇସାରିଥିବା ବେଳେ 30 ତାରିଖରେ ତେଲେଙ୍ଗାନାରେ ମତଦାନ ହେବାକୁ ଯାଉଛି । 30 ତାରିଖ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ଦ୍ବାରା ବୁଥବାହୁଡା ଜନମତ ବା ‘ଏକଜିଟ ପୋଲ’ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ଆସନ୍ତାବର୍ଷ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ଥିବାରୁ ଏହି 5 ରାଜ୍ୟର ବିଧାନସଭା ଫଳାଫଳକୁ ସେମି-ଫାଇନାଲ ଭାବେ ବିବେଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2023, 10:57 PM IST

ABOUT THE AUTHOR

...view details