ଜୟପୁର: ରାଜସ୍ଥାନକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ରାଜସ୍ଥାନର ଅଜମେରରୁ ଦିଲ୍ଲୀକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ଥାନକୁ ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ମାଟିରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ମା’ ଭାରତୀଙ୍କ ବନ୍ଦନା କରୁଥିବା ରାଜସ୍ଥାନ ମାଟିକୁ ଆଜି ପ୍ରଥମ ବନ୍ଦେ ଭାରତ ଟ୍ରେନ ମିଳିଛି । ଦିଲ୍ଲୀ କ୍ୟାଣ୍ଟ-ଅଜମେର ବନ୍ଦେ ଭାରତ ଏକ୍ସପ୍ରେସ ଦ୍ବାରା ଜୟପୁରରୁ ଦିଲ୍ଲୀ ଯାତାୟତ ସହଜ ହେବ । ଏହି ଟ୍ରେନ ରାଜସ୍ଥାନର ପର୍ଯ୍ୟଟନରେ ସହାୟକ ହେବ ।
ବନ୍ଦେ ଭାରତ ଏକ୍ସପ୍ରେସ ଆଜି ବିକାଶ, ଆଧୁନିକିକରଣ, ସ୍ଥିରତା ଏବଂ ଆତ୍ମ ନିର୍ଭରଶୀଳର ମାଧ୍ୟମ ପାଲଟିଛି । ଆଜିର ବନ୍ଦେ ଭାରତ ଯାତ୍ରା ଭବିଷ୍ୟତରେ ଆମକୁ ବିକଶିତ ଭାରତର ଯାତ୍ରା ଦିଗରେ ନେଇଯିବ । ବନ୍ଦେ ଭାରତ ପ୍ରଥମ ସେମି ହାଇ ସ୍ପିଡ ଟ୍ରେନ ଯାହା ମେଡ ଇନ ଇଣ୍ଡିଆର । ବନ୍ଦେ ଭାରତ ପ୍ରଥମ ଟ୍ରେନ ଯାହା ସୁଗଠିତ ଏବଂ କୁଶଳ । ଏହି ଟ୍ରେନ ସ୍ବଦେଶୀ ସୁରକ୍ଷା ପ୍ରଣାଳୀ କବଚ ଅନୁକୁଳରେ ତିଆରି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''ଭାରତ ରେଲୱେ ଇତିହାସରେ ବନ୍ଦେ ଭାରତ ସେହି ପ୍ରଥମ ଟ୍ରେନ ଯାହା ବିନା ଅତିରିକ୍ତ ଇଞ୍ଜିନରେ ସହାଦ୍ରି ଘାଟର ଉଚ୍ଚ ଯାତାୟତ ପୂରଣ କରିଛି । ବନ୍ଦେ ଭାରତ ଭାରତର ପ୍ରଥମ ସବୁବେଳେ ପ୍ରଥମ ଭାବନାକୁ ସମୃଦ୍ଧ କରିଛି । ଗତ 2 ମାସ ଭିତରେ ଏହା ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ଯାହାକୁ ସବୁଜ ପତାକା ଦେଖାଇବାର ସୌଭାଗ୍ୟ ମିଳିଛି । ଏହି ଆଧୁନିକ ଟ୍ରେନ ଚଳାଚଳ ଆରମ୍ଭ ହେବା ଦିନଠୁ ଏଥିରେ 60 ଲକ୍ଷ ଲୋକ ଯାତ୍ରା କରି ସାରିଛନ୍ତି । ଦ୍ରୁତ ଗତି ବନ୍ଦେ ଭାରତ ଏକ୍ସପ୍ରେସର ବିଶେଷତ୍ବ ହେଉଛି ଏହା ଲୋକଙ୍କ ସମୟ ବଞ୍ଚାଉଛି । ଅନୁଧ୍ୟାନରୁ ଜଣାପଡିଛି ଥରେ ଏଥିରେ ଯାତ୍ରା କଲେ ପାଖାପାଖି ଅଢେଇ ହଜାର ଘଣ୍ଟା ସମୟ ବଞ୍ଚୁଛି । ଆଜି ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସର ଗୌରବ ଗାନ ହୋଇଛି । ରେଳ ଯୋଗାଯୋଗ ସଫଳ ହେଲେ ଦେଶ ସଶକ୍ତ ହେବ । ଏହି ଆଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନର ବିକାଶରେ ଗତି ଦେବ ଏହି ଟ୍ରେନ । ''