ଜୟପୁର:ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବିରୋଧୀ ପ୍ରଥମରୁ ଟାର୍ଗେଟ କରିଆସୁଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ସମାଲୋଚନା ଆହୁରି ଶାଣିତ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକୁ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି, ହେଲେ ମଣିପୁର ଗସ୍ତ କରୁଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଗେହେଲଟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ପ୍ରଥମେ କର୍ଣ୍ଣାଟକ ଏବେ ରାଜସ୍ଥାନ ଓ ଅନ୍ୟ କିଛି ନିର୍ବଚନ ହେବାକୁ ଥିବା ରାଜ୍ୟ ଗସ୍ତ କରୁଛନ୍ତି । ହେଲେ ହିଂସା ପ୍ରଭାବିତ ମଣିପୁର ଗସ୍ତ କରୁନାହାନ୍ତି । ଏବେ ମଣିପୁରରେ ତାଙ୍କ ସରକାର ରହିଛି । ଯଦି ସେଠାରେ କଂଗ୍ରେସ ଶାସନରେ ଥାଆନ୍ତା ତେବେ ସ୍ଥିତି କ’ଣ ହେଇଥାନ୍ତା, ଆପଣମାନେ କଳ୍ପନା କରନ୍ତୁ ।’’
ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ମୁଁହ ଖୋଲି ମଣିପୁର ଘଟଣାକୁ ନିନ୍ଦା କରିବା ବେଳେ ରାଜସ୍ଥାନ ଓ ଛତିଶଗଡ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବାକୁ ନେଇ ମଧ୍ୟ ଗେହେଲଟ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ରାଜସ୍ଥାନର ଭାବାବେଗକୁ ଆଘାତ ଦେଇଛି । ମଣିପୁରରେ ବର୍ତ୍ତମାନ ସ୍ଥିତି କ’ଣ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା କରନ୍ତୁ । ଯଦି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ପାରୁନାହାନ୍ତି, ତେବେ ଦିଲ୍ଲୀରେ ଏକ ସମୀକ୍ଷା ବୈଠକ ଡାକି ମଣିପୁରର ସାମ୍ପ୍ରତିକ ସ୍ଥିତି ସମୀକ୍ଷା କରନ୍ତୁ ବୋଲି ଗେହେଲଟ କହିଛନ୍ତି ।