ଜୟପୁର:3 ରାଜ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଭାବେ 3 ଅପ୍ରତ୍ୟାଶିତ ଚେହେରାଙ୍କୁ ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଶେଷରେ ଘୋଷଣା ହୋଇଥିବା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଏକାଧିକ ହେଭିଓ୍ବେଟଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଭାବେ ଦଳ ପକ୍ଷରୁ ଚୟନ ହେବା ପରେ ତାଙ୍କ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ସବୁଠୁ ଆଗରେ ରହିଛି ତାଙ୍କର ଆର୍ଥିକ ପୃଷ୍ଠଭୂମି । ପୁଅର ପାଠପଢା ପାଇଁ 16.53 ଲକ୍ଷ ଟଙ୍କାର ଲୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଜନଲାଲ ।
ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପୁଅର ଉଚ୍ଚଶିକ୍ଷା ପାଇଁ 16.53 ଲକ୍ଷ ଟଙ୍କାର ଏକ ଲୋନ ନେଇଥିବା ସହ ଏସବିଆଇରୁ ମଧ୍ୟ ଅନ୍ୟ କାରଣ ପାଇଁ 29.46 ଲକ୍ଷ ଟଙ୍କାର ଲୋନ ନେଇଛନ୍ତି । ସେହିପରି ତାଙ୍କ ନାମରେ ଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ 1.3 କୋଟି ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରୁ ଜଣାପଡିଛି । ଏହାକୁ ତୁଳନାତ୍ମକ ଭାବେ ଦେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ତୂଳନାରେ ବେଶ ପଛରେ ରହିଛନ୍ତି ଭଜନ । କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି,ବରଂ ବହୁ ବିଧାୟକଙ୍କ ସମ୍ପତ୍ତି ମଧ୍ୟ ଭଜନଲାଲଙ୍କ ଠାରୁ ଢେର ଅଧିକ ରହିଛି ।