ଜୟପୁର:କ୍ଷମତାରୁ ହଟିବା ପରେ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କ ଅଡୁଆ ବଢିବାକୁ ଯାଉଛି । କାରଣ ଆଜି ବହୁଚର୍ଚ୍ଚିତ ପେପର ଲିକ୍ ମାମଲାରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଗଠନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଚଳିତ 15 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ଏନେଇ ଗୃହ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଗୃହ ବିଭାଗ ଚିଠି ଲେଖିଛି ।
ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଏହି ଘୋଟାଲା ରାଜ୍ୟର ଯୁବପିଢିଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଗତ 5 ବର୍ଷରେ ମଧ୍ୟରେ ଏହି ମାମଲା ସହ ଜଡିତ ସମସ୍ତ କାର୍ଯ୍ୟକଳାପ ତଦନ୍ତ ପରିସରକୁ ଆସିବ । ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ ଏପରି ପେପର ଲିକ ଘଟଣାର କିପରି ପୁନରାବୃତ୍ତି ନହେବ, ସେ ନେଇ ସରକାର ନିଶ୍ଚିତ କରିବ । ରାଜସ୍ଥାନରେ ପୂର୍ବ ସରକାରରେ ଏହି ଦୁର୍ନୀତି ହୋଇଥିଲା । ଯାହା ରାଜନୀତିକୁ ସରଗରମ କରିବା ସହ ଚଳିତ ନିର୍ବାଚନରେ ମଧ୍ୟ ମୁଦ୍ଦା ହୋଇଥିଲା । ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ ହେବା ପରେ ପୂର୍ବର ଗେହେଲଟ ସରକାରଙ୍କ ଅଡୁଆ ବଢିବାକୁ ଯାଉଛି ।
କଂଗ୍ରେସ ଶାସନ ସମୟରେ ହୋଇଥିବା ଏହି ଘୋଟାଲା ରାଜ୍ୟ ରଜାନୀତିକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ ମୁଦ୍ଦା ମଧ୍ୟ । ନିର୍ବାଚନରେ ବିଜେପି ଲାଲ ଡାଏରୀ ଓ ଅନ୍ୟ ଘୋଟାଲା ସହ ଏହି ପେପର ଲିକ କାଣ୍ଡକୁ ମଧ୍ୟ ଗେହେଲଟ ସରକାରଙ୍କ ବିରୋଧରେ ନିର୍ବାଚନୀ ଅସ୍ତ୍ର କରିଥିଲା । କେବଳ ତତ୍କାଳୀନ ବିରୋଧୀ ବିଜେପି ନୁହେଁ ବରଂ ଅଶୋକ ଗେହେଲଟଙ୍କ ନିଜ ଦଳର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ସଚିନ ପାଇଲଟଙ୍କ ମଧ୍ୟ ଏହି ପ୍ରସଙ୍ଗରେ ଗେହେଲଟ ସରକାର କାହିଁକି ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ବିରୋଧରେ ସେ ଏକ ପ୍ରତିବାଦ ଶୋଭାଯାତ୍ରା ମଧ୍ୟ ବାହାର କରିଥିଲେ । ଗେହେଲଟଙ୍କୁ ଟାର୍ଗେଟ କରିବାକୁ ଯାଇ ସଚିନ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା ।