ଜୟପୁର:ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ନେଇ ସାରା ଦେଶରେ ଆକ୍ରୋଶ ବିଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି । ଉଦୟପୁରରେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହୋଇନାହିଁ । ଚାପା ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଆଜି ହତ୍ୟାକାଣ୍ଡ ଶିକାର ହୋଇଥିବା କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଆଜି ଗେହେଲଟ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ଗେହେଲଟ ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ବିରୋଧୀ ବିଜେପି । ଆଜି ଉଦୟପୁରରେ ବିଜେପି ପକ୍ଷରୁ ବିଶାଳ ପ୍ରତିବାଦ ସଭା ମଧ୍ୟ ଆୟୋଜନ କରାଯାଇଛି । ହଜାର ହଜାର ବିଜେପି କର୍ମୀ ଏପରି ସ୍ଥିତି ପାଇଁ ରାଜସ୍ଥାନ ସରକାରକୁ ଦାୟୀ କରିବା ସହ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।