ଜୟପୁର:ଆଜି (ରବିବାର) ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳ (Rajasthan Cabinet) ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ 15 ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଆଜି ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବାବେଳେ ଅନ୍ୟ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ପୂର୍ବ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ଥିବା ୪ ଜଣଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି ।
ସେହିପରି ଗତ କିଛି ଦିନ ହେବ ଦଳରେ ଲାଗିରହିଥିବା ଅନ୍ତକନ୍ଦଳ ଓ ଗୋଷ୍ଠୀବାଦ ମଧ୍ୟରେ ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ (Sachin Pilot)ଙ୍କ ଗୋଷ୍ଠୀଙ୍କୁ ମଧ୍ୟ ନୂତନ କ୍ୟାବିନେଟରେ ମନ୍ତ୍ରୀପଦ ମିଳିଛି । ସଚିନଙ୍କ ବେସ ଘନିଷ୍ଠ କୁହାଯାଉଥିବା ୪ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Ashok Gehlot) ଏବଂ ରାଜ୍ୟ ଦାୟିତ୍ବରେ ଥିବା କଂଗ୍ରେସ ପ୍ରଭାରୀ ଅଜୟ ମାକେନ୍ ଜୟପୁରସ୍ଥିତ ପାର୍ଟି ଅଫିସରେ ବିଧାୟକ ଏବଂ ଦଳର ଅନ୍ୟ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । 2023 ବିଧାନସଭା ନିର୍ବାଚନରେ ପୁଣି କଂଗ୍ରେସ କ୍ଷମତା ବଜାର ରଖିବା ନେଇ ମଧ୍ୟ ଆଶା ପ୍ରକଟ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।