ଜୟପୁର: ନା ବାଜିଲା ବାଜା ନା ଆସିଲା ରୋସଣୀ । କିନ୍ତୁ ବୈଦିକ ରୀତିନୀତିରେ ବର କନିଆଁଙ୍କ ପଡିଲା ହାତଗଣ୍ଠି । ହସ୍ପିଟାଲର ରୁମ୍ ସାଜିଲା ବିବାହ ମଣ୍ଡପ, ମୁଣ୍ଡରେ ସିନ୍ଦୁର ସାଙ୍ଗକୁ ବରଣମାଳା ଅଦଳବଦଳ କରି ହାତକୁ ଦି ହାତ ହେଲେ ନବ ଦମ୍ପତି । ଏକ ହୁଇଲ ଚେୟାରରେ କନିଆଁ ଜଣଙ୍କ ବିବାହ କରିଛନ୍ତି । ରାଜସ୍ଥାନର କୋଟା ଜିଲ୍ଲାର ଏକ ଡାକ୍ତରଖାନାରେ ଏପରି ନିଆରା ବିବାହର ଆୟୋଜନ କରାଯାଇଥିଲା । ଶେଷରେ ସାତ ଜନ୍ମର ସାଥି ହୋଇଛନ୍ତି ବର କନିଆଁ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିବାହ ତାରିଖ ସ୍ଥିର ହୋଇଥିବା ବେଳେ ସେହି ଦିନ ହିଁ କନିଆଁ ଜଣଙ୍କ ସିଡିରୁ ଖସି ପଡିବାରୁ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ଉଭୟଙ୍କ ପରିବାର ହସ୍ପିଟାଲରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ଦୁଇ ପରିବାରଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । ବର୍ତ୍ତମାନ ମଧ୍ୟ ଚିକିତ୍ସା ଜାରି ରହିଛି । ଏକ ହୁଇଲ ଚେୟାର ବସି ବିବାହ କରିଥିଲେ କନ୍ୟା ଜଣଙ୍କ ।